ଶ୍ରୀନଅରରୁ ତାମଯାନରେ ଆସିଲେ ଗଜପତି ମହାରାଜ :’ଛେରାପହଁରା’ ନାତି ଆରମ୍ଭ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ପର୍ବ ‘ଛେରାପହଁରା’ ନୀତି ଆରମ୍ଭ ହେଉଛି। ଗଜପତି ମହରାଜ ଆଜି ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି ଆରମ୍ଭ କରିଛନ୍ତି। ସେ ପ୍ରଥମେ ତାଳଧ୍ୱଜ ରଥରେ ଛେରାପହଁରା କରୁଛନ୍ତି। ସୂଚନାଯୋଗ୍ୟ, ପହଣ୍ଡି ବିଜେ ଶେଷ ହେବାପରେ ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇଥିଲେ। ତିନି ରଥ ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହାପରେ ଗଜପତି ମହାରାଜା ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଛନ୍ତି। ଏହାପରେ ରଥଯାତ୍ରାର ରଥ ଉପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଉଛି। ନିର୍ଦ୍ଧାରିତ ସମୟର ପୂର୍ବରୁ ନୀତିକାନ୍ତି ଚାଲିଛି। ଭାଇ ଭଉଣୀଙ୍କ ସହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ଠାକୁର। ସେପଟେ ଭକ୍ତିମୟ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ହେଉଛି। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିଛନ୍ତି। ଏହାପରେ ସୁବର୍ଣ୍ଣ ସମାର୍ଜନୀରେ ଛେରାପହଁରା କରିବେ। ଏହା ପରେ ଗଜପତି ମହାରାଜ ତାମଯାନରେ ବସି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥକୁ ଯାଇ ଛେରାପହଁରା ନୀତି ସମାପନ କରିବା ପରେ ରଥଟଣା ଆରମ୍ଭ ହେବ।