Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆଜିଠୁ ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ

୬ ଜିଲ୍ଲା ବେଶୀ ଥରିବ

ଆସନ୍ତା ତିନି ଦିନ ରାଜ୍ୟରେ ଶୀତ ଲହରି ବହିବ । ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଓ ବରଗଡ଼ରେ ଶୀତ ଲହରି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଶୁକ୍ରବାର, ଶନିବାର ଓ ରବିବାର ତିନିଦିନ ରାଜ୍ୟରେ ଶୀତ ଲହରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୮ରେ ୬ଟି ଜିଲ୍ଲାରେ ଅଧିକ ଶୀତ ହେବ ବୋଲି ଆକଳନ ହୋଇଛି । ୨୯ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ରେ ଶୀତ ଲହରି ବହିପାରେ । ୩୦ରେ ମଧ୍ୟ ଏହି ସମସ୍ତ ଜିଲ୍ଲାରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ ଆକଳନ କରିଛନ୍ତି । ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ନାହିଁ ।

କୌଣସି ସ୍ଥାନରେ ଶୀତ ବଢ଼ିବ ନାହିଁ ବୋଲି ସେ କହିଛନ୍ତି । ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଶୁକ୍ରବାର ରାତିରୁ ରାତି ତାପମାତ୍ରା ବଢିବ । ୨୮ ତାରିଖରୁ ରାତି ତାପମାତ୍ରା ବଢ଼ିବ । ଫେବ୍ରୁଆରୀ ୩ ସୁଦ୍ଧା ୬ରୁ ୭ଡିଗ୍ରୀ ସେଲସିୟସ୍‌ ବଢିବ । ଉତ୍ତର ଓଡ଼ିଶାର ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳରେ ୨୯ରୁ ଫେବ୍ରୁଆରୀ ୩ ସୁଦ୍ଧା ୬ଡିଗ୍ରୀ ବଢ଼ିବ । ଉପକୂଳ ଓ ସଂଲଗ୍ନ ଜିଲ୍ଲା ସମେତ କେନ୍ଦ୍ରୀୟ ଓଡ଼ିଶାରେ ଫେବ୍ରୁଆରି ୪ ବେଳକୁ ୬ରୁ ୮ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଦିନର ସର୍ବାଧିକ ତାପମାତ୍ରା ହାରାହାରି ୨୯ ଡିଗ୍ରୀ ରହୁଥିବାବେଳେ ଏହା କ୍ରମଶଃ ବଢ଼ବ । ଫେବ୍ରୁଆରି ୪ ସୁଦ୍ଧା ଅନେକ ସ୍ଥାନରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ବଢିବ । ୩ ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୦ରୁ ୩୧ଡିଗ୍ରୀ ସେଲସିୟସ୍‌ ରହିବ । ସେହିଭଳି ଉପକୂଳ ଓଡ଼ିଶାରେ ୩୦ ତାରିଖରୁ କୁହୁଡି ବଢିବ । ଫେବ୍ରୁଆରି ୧ରୁ ୫ ତାରିଖ ଯାଏ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

Show More

Related Articles

Back to top button