ଓଡ଼ିଶାମୁଖ୍ୟ ଖବରରାଜନୀତି

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

କୋଭିଡ୍‌ କଟକଣା ମଧ୍ୟରେ ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏଥର ସରକାର ୧୦ଟି ବିଧେୟକ ଗୃହରେ ଉପସ୍ଥାପିତ କରିବାକୁ ଯାଉଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ୯ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ଶାସକ ବିଜେଡ଼ି ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି

ଅଧିବେଶନ ଆରମ୍ଭ ପୂର୍ବରୁ ଗୁରୁବାର ବିଜେଡ଼ି, ବିଜେପି ଓ କଂଗ୍ରେସ ତିନିଦଳର ପୃଥକଭାବେ ବିଧାୟକଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଜେଡ଼ି ପକ୍ଷରୁ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ଅଧିବେଶନ କାଳରେ ସରକାରଙ୍କ ପକ୍ଷରୁ ୧୦ଟି ବିଲ୍ ଗୃହୀତ ହେବାକୁ ରହିଥିବାବେଳେ ୩ଟି ଅଧ୍ୟାଦେଶ ଆସିବାର ରହିଛି। ସବୁଠାରୁ ବଡ଼କଥା ହେଲା ଅତିରିକ୍ତ ବଜେଟ ଆଗତ ହେବା ସହିତ ଖର୍ଚ୍ଚ ଦାବି ପାରିତ ହେବ। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କ ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୋଭିଡ଼ ସୁପରିଚାଳନା ଲାଗି ବିଧାୟକମାନଙ୍କ ଦରମାରୁ କଟା ଯାଉଥିବା ୭୦ ପ୍ରତିଶତ ଅର୍ଥକୁ ଏଣିକି ଆଉ କଟାଯିବ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ ଘୋଷଣା କରିଛନ୍ତି। ଅଧିବେଶନ ସମୟରେ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ବିରୋଧୀଙ୍କ ପକ୍ଷରୁ ଆସେ ସେନେଇ ସକାରାତ୍ମକ ଢ଼ଙ୍ଗରେ ଆଲୋଚନା କରିବାକୁ ସରକାର ରାଜି ବୋଲି ବିଜେଡିର ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥୀ କହିଛନ୍ତି।
ଅନ୍ୟପକ୍ଷରେ ବିଜେପି ପକ୍ଷରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ବେରୋଜଗାର, ମଣ୍ଡି ଅବ୍ୟବସ୍ଥା, କୋଭିଡ ପରିଚାଳନାରେ ବିଫଳତା ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଶ୍ରୀ ନାଏକ କହିଥିଲେ ଯେ ରାଜ୍ୟରେ ନାରୀ ନିର୍ଯାତନା ଘଟଣା ପ୍ରତିଦିନ ବଢ଼ି ଚାଲିଛି। ଗରିବ ଅସହାୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁଥିଲେ ହେଁ ସରପଞ୍ଚ ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ଚାପ ପକାଉଛନ୍ତି। ଏହା କେବଳ ଢ଼ିଲା ଶାସନପଣିଆ ଯୋଗୁଁ ଓଡ଼ିଶାରେ ସମ୍ଭବ ହୋଇପାରୁଛି। ପୂର୍ବରୁ ଯାଜପୁର ଦଶରଥପୁର ବ୍ଲକରେ ସମାନ ଢଙ୍ଗରେ ଘର କରାଇବା ନାଁରେ ପଞ୍ଚାୟତ ଅଫିସରେ ଏକ ମହିଳାଙ୍କୁ ବିଜେଡି ନେତାମାନେ ହିତାଧିକାରୀଙ୍କ ଠାରୁ ବଳାତ୍କାର କରିଥିଲେ। ସେହିପରି ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ପଡ଼ିରହୁଛି।

 

Odisha, Assembly
Odisha, Assembly

ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି। ଶାସକଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଞ୍ଚିତ ହେଉଛି। ଏହି ସବୁ ପ୍ରସଙ୍ଗକୁ ନେଇ ଆସନ୍ତାକାଲିଠାରୁ ଗୃହ ସରଗରମ ହେବ ବୋଲି ଶ୍ରୀ ନାଏକ କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସରକାରଙ୍କ ଏକଚ୍ଛତ୍ରବାଦ ଶାସନକୁ ନେଇ ଗୃହରେ ତୁମ୍ବିତୋଫାନ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଚାଷୀମାନଙ୍କୁ କିଭଳି ତାଙ୍କ ଉତ୍ପାଦିତ ଧାନର ଏମଏସପି ଦର ମିଳିବ, ମହିଳାମାନେ ସୁରକ୍ଷିତ ରହିବେ ଏବଂ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କ ସହିତ ଜବରଦସ୍ତ ଆଲୋଚନା କରାଯିବ ବୋଲି ସ୍ଥିର ହୋଇଛି। କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ ପୁରୀ ଓ ବୀରମିତ୍ରପୁର ହାଜତମୃତ୍ୟୁ ଏବଂ କଟକ ଭୁବନେଶ୍ବର ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଧାନସଭାରେ ପ୍ରମୁଖ ପ୍ରସଙ୍ଗ ହେବ ା ବୈଠକରେ ବରିଷ୍ଠ ସଭ୍ୟ ସୁରେଶ କୁମାର ରାଉତରାୟ, ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Show More

Related Articles

Back to top button