ଓଡ଼ିଶାପାଣିପାଗମୁଖ୍ୟ ଖବର

ଆସନ୍ତା ୪ ଦିନ ଯାଏଁ ବର୍ଷା ସମ୍ଭାବନା

୧୨ ଓ ୧୩ରେ ପ୍ରବଳ ବର୍ଷିବ

ସୋମବାର ରାଜ୍ୟରେ ବର୍ଷା ଆରମ୍ଭ ହେବ । ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବର୍ଷାରେ ବିଲରେ ଅମଳ ହୋଇ ରହିଥିବା ଫସଲ ନଷ୍ଟ ହୋଇଯିବାର ଭୟ ଘାରିଛି । ଏହି ଅଦିନିଆ ବର୍ଷାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡିଯାଇଛି । ସୋମବାର ପଶ୍ଚିମ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ପଶ୍ଚିମା ଝଡ଼ ପ୍ରଭାବରେ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର,ସୋନପୁର, ସୁନ୍ଦରଗଡ଼, ଦେବଗଡ଼ ଓ ବରଗଡ଼ର କିଛି ସ୍ଥାନରେ ବର୍ଷିବ । ସ୍ୱଳ୍ପରୁ ମଧ୍ୟମ ପରିମାଣରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୧ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଆଉ କିଛି ଜିଲ୍ଲାରେ ଅଧିକ ବର୍ଷା ଆଶଙ୍କା ରହିଛି । ଏ ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସେହିଭଳି ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ରେ ଘଡ଼ଘଡ଼ି ହେବା ଆଶଙ୍କାରେ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ରେ କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, କଟକ, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ୭ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିଭଳି ୧୩ରେ ବି ପ୍ରବଳ ବର୍ଷା ରହିବ ।

କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଭାରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ୧୪ ଓ ୧୫ରେ ବି କିଛି ସ୍ଥାନରେ କମ୍‌ ପରିମାଣରେ ବର୍ଷା ହୋଇପାରେ ।

ତେବେ ଫସଲ ଅମଳ ସମୟରେ ଏଭଳି ବର୍ଷା ଭୟକୁ ନେଇ ଚାଷୀକୂଳ ଛାନିଆ ହୋଇଛି । ଏବେ ବିଲରେ ଧାନ କଟା ହୋଇ ଗଦା ହୋଇଛି । ମୂଷଳ ଧାରାରେ ବର୍ଷା ହେଲେ ଧାନ ପାଣିରେ ଓଦା ହୋଇ ପଚିଯିବାର ଆଶଙ୍କା ରହିଛି । କୋବି, ଟମାଟୋ, ଲଙ୍କା, ବିନ୍‌, ମଟର, ଗାଜର ଭଳି ବିଭିନ୍ନ ପନିପରିବା ବି ନଷ୍ଟ ହୋଇ ଯାଇପାରେ । ଏଥିପାଇଁ ଚାଷୀମାନେ ତୁରନ୍ତ ନିଜ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅମଳ ଯୋଗ୍ୟ ପନିପରିବାକୁ ତୋଳି ଆଣିବାକୁ ମଧ୍ୟ କୁହାଯାଇଛି । ବର୍ଷା ଆଶଙ୍କା ଥିବାରୁ ମୁଗ ଓ ବିରି ଭଳି ଶୀତଦିନିଆ ଡାଲିଜାତୀୟ ବିହନ ଓ ତୈଳ ବିହନ ବୁଣା ଆସନ୍ତା ଏକ ସପ୍ତାହ ଯାଏ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଯୋଗୁ ସର୍ବନିମ୍ନ ତାପମାତ୍ରା ତଳମୁହାଁ ହେବ ଓ ବିହନ ଗଜା ହେବାରେ ସମସ୍ୟା ହୋଇପାରେ । ସହଳ ବୁଣା ହୋଇଥିବା ଚିନାବାଦାମ ଓ ସୋରିଷ ଫୁଲ ଧରିବା ଆରମ୍ଭ ହୋଇଥିବାରୁ ବର୍ଷା ଏହାକୁ ସୁହାଇବ । ସେହି ଫସଲରେ ଜଳସେଚନ ସ୍ଥଗିତ ରଖିବାକୁ ପରାମର୍ଶ ଜାରି ହୋଇଛି । ଏବେପାଇଁ ସାମୟିକ ଭାବେ ଜମିରେ ସାର, କୀଟନାଶକ ପକାଇବା ଓ ଜଳସେଚନ ବନ୍ଦ ରଖିବାକୁ କୁହାଯାଇଛି ।

Show More

Related Articles

Back to top button