ଓଡ଼ିଶାପାଣିପାଗ

ଆସନ୍ତା ୧୦ରୁ ରାଜ୍ୟରେ ଅଦିନିଆ ବର୍ଷା

୪ ଦିନ ଯାଏଁ ଛେଚିବ

ପୁଣି ଓଡ଼ିଶା ମୁହାଁ ଆଉ ଏକ ବିପତ୍ତି । ୧୦ରୁ ଅଦିନିଆ ବର୍ଷା ଲାଗି ରହିବ ରାଜ୍ୟରେ । ଚାରି ଦିନ ବର୍ଷିବ । ଆଭ୍ୟନ୍ତରୀଣରୁ ଉପକୂଳ ସବୁ ଆଡ଼େ ବର୍ଷା ହେବ । ବର୍ଷା ସହ କୁଆ ପଥର ବିମାଡ଼ ହୋଇପାରେ । ଏମିତି ଆଶଙ୍କା କରିଛି ପାଣିପାଗ ବିଭାଗ । ଏହି ସମ୍ଭାବ୍ୟ ବର୍ଷା ଚାଷୀ ପାଇଁ ଆଉ ଏକ ବିପର୍ଯ୍ୟୟ ଡାକି ଆଣିବ । ଚାଷକୁ ପ୍ରଭାବିତ କରିପାରେ । ଅମଳ ହୋଇ ସାରିଥିବା ଖରିଫ ଫସଲ ସୁରକ୍ଷିତ ସ୍ଥାନରେ ନଥିଲେ ନଷ୍ଟ ହେବ । କପା,ସୋରିଷ ଚାଷ ସହ ପନିପରିବାକୁ କ୍ଷତି କରିପାରେ ସମ୍ଭାବ୍ୟ ଅଦିନିଆ ବର୍ଷା ଓ କୁଆପଥର ମାଡ଼ । ପାଣିପାଗ ବିଭାଗ ଆକଳନ କରିଛି, ପଶ୍ଚିମା ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) ପ୍ରଭାବରେ ୧୦ତାରିଖରୁ ରାଜ୍ୟରେ ପାଗ ବଦଳିବ । ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ କୋହଲା ଓ ମେଘୁଆ ରହିବା ସହ ଅନେକ ସ୍ଥାନରେ ବର୍ଷା କରାଇବ । ୧୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼,ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

୧୧ ତାରିଖରୁ ବର୍ଷା ପରିମାଣ ଆହୁରି ବଢ଼ିବ । ୧୧ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ସମେତ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ଜାଗାରେ ପ୍ରବଳ ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷିପାରେ । ୧୨ରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୧୩ରେ ବର୍ଷା ପରିମାଣ କମିଲେ ବି ଅନେକ ସ୍ଥାନରେ ବର୍ଷା ହେବ । ଅଦିନିଆ ବର୍ଷା,ପବନ ସହ କୁଆପଥର ଆଶଙ୍କା ଥିବାରୁ ଫସଲ କ୍ଷତି ହେବାଆଶଙ୍କା ଅଧିକ ରହିଛି । ଏ ଦିଗରେ ଚାଷୀମାନେ ସତର୍କତାମୂଳକ ପଦକ୍ଷେପ ନେବାକୁ ହେବ । ପାଣିପାଗ ବିଭାଗ କହିଛି, ଆସନ୍ତା ୩ ଦିନ ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ । ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଶୁକ୍ରବାର ସକାଳକୁ କନ୍ଧମାଳ, କଳାହାଣ୍ଡି,ନବରଙ୍ଗପୁର ଓ କୋରାପୁଟରେ ଘନକୁହୁଡ଼ି ଆଶଙ୍କା ରହିଛି । ବୁଧବାର ରାତିରେ ଦାରିଙ୍ଗିବାଡ଼ି ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀସେଲସିୟସ୍‌, ଫୁଲବାଣୀ ୧୦, ଟିଟିଲାଗଡ଼ ୧୧, କେନ୍ଦୁଝର ୧୧.୨ଡିଗ୍ରୀ ଥିଲା । ରାଜ୍ୟର ବାକି ଅଞ୍ଚଳରେ ଶୀତ ସାମାନ୍ୟ କମିଛି ।

Show More

Related Articles

Back to top button