Breaking PLUSଅପରାଧମୁଖ୍ୟ ଖବରଶିକ୍ଷା

ଠକାମୀର ଶୀକାର : କୁଆଡେ ଗଲେ ୪୬ ହଜାର ଛାତ୍ରଛାତ୍ରୀ

ଯେତିକି ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ, ସେମାନଙ୍କ ମଧ୍ୟରୁ କାହିଁକି ୧୦ ପ୍ରତିଶତ ପାଖପାଖି ଛାତ୍ରଛାତ୍ରୀ ପରୀକ୍ଷା ଦେଉ ନାହାନ୍ତି?

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଘଟଣା ରାଜ୍ୟରେ ଓଡ଼ିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ବଡ଼ଧରଣର କେଳେଙ୍କାରୀକୁ ଧରାଇ ଦେଇଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଦର୍ଶାଇ ସରକାରୀ ସୁବିଧାସୁଯୋଗ ପାଇବା, ସ୍କୁଲ୍‌ର ସ୍ୱୀକୃତି ବଜାୟ ରଖିବା ଉଦ୍ଦେଶ୍ୟରେ ମିଛ ନାମ ପଞ୍ଜୀକରଣ କରି ଫର୍ମ ପୂରଣ କରାଯାଇଥିବା ସନ୍ଦେହ କରାଯାଉଛି। ଯେତିକି ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ, ସେମାନଙ୍କ ମଧ୍ୟରୁ କାହିଁକି ୧୦ ପ୍ରତିଶତ ପାଖପାଖି ଛାତ୍ରଛାତ୍ରୀ ପରୀକ୍ଷା ଦେଉ ନାହାନ୍ତି? ସେ ସଂପର୍କରେ ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ। ଅନ୍ୟପଟେ ଏହି ଛାତ୍ରଛାତ୍ରୀମାନେ ସମ୍ମେଟିଭ୍ ଆସେସମେଣ୍ଟ୍-୧ ପରୀକ୍ଷା ଦେଇ ନଥିଲେ ବି କିଭଳି ସମ୍ମେଟିଭ୍ ଆସେସମେଣ୍ଟ୍-୨ ପରୀକ୍ଷା ପାଇଁ ଫର୍ମପୂରଣ କଲେ ଏବଂ ପରୀକ୍ଷାରୁ ଅନୁପସ୍ଥିତ ରହିଲେ, ତାହାକୁ ନେଇ ବି ପ୍ରଶ୍ନ ଉଠୁଛି। ଏଭଳି ଘଟଣା ଏବେ ରହସ୍ୟଜନକ ହୋଇ ପଡ଼ିଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ହେଲେ ବ୍ୟବସ୍ଥାର ଗୁମର ଫିଟିବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଏଯାଏ ଶେଷ ହୋଇଥିବା ମାଟ୍ରିକର ୩ଟି ବିଷୟ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ଗୋଟିଏ ଗୋଟିଏ ସ୍କୁଲରେ ତ ୩୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉନାହାନ୍ତି। ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଏ ସଂପର୍କରେ ଯୋଗାଯୋଗ କଲେ ଉତ୍ତର ମିଳୁଛି ଯେ ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଛନ୍ତି। ଅନେକଙ୍କ ଠିକଣା ବି ଏବେ ମିଳୁନି। ତେବେ ଏଭଳି ପିଲାଙ୍କ ପାଇଁ ଫର୍ମପୂରଣ କଲା କିଏ? ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ଆବଶ୍ୟକ ସ୍ତରରୁ କମ ରହିବା, ସରକାରୀ ସ୍ତରରେ ଲକ୍ଷ୍ୟଧାର୍ଯ୍ୟ କରାଯିବା ଭଳି କାରଣରୁ ପିଲାଙ୍କର ନାମ ପଞ୍ଜୀକରଣ କରାଯାଇ ସେମାନଙ୍କ ପାଇଁ ଫର୍ମପୂରଣ କରାଯାଉଥିବା ଜଣାପଡ଼ିଛି। କଟକ ଜିଲ୍ଲାରେ ହଜାରେରୁ ଅଧିକ ପିଲା ଅନୁପସ୍ଥିତ ରହିଛନ୍ତି। ବିଶେଷକରି ଡମପଡା, ନରସିଂହପୁର, ସାଲେପୁର, ଆଠଗଡ଼ ଓ ତିଗିରିଆ ବ୍ଲକ୍‌ ଅଞ୍ଚଳରେ ଏହି ସଂଖ୍ୟା ଅଧିକ। ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କୁ ଖୋଜିଲା ବେଳକୁ ସେମାନଙ୍କ ଫର୍ମ ପୂରଣରେ ଯେଉଁ ଠିକଣା ରହିଛି ସେହି ଠିକଣାରେ ସେମାନେ ନାହାନ୍ତି। ତେବେ କୁଆଡେ ଗଲ ଛାତ୍ରଛାତ୍ରୀ । ଏହାର ଉତ୍ତର କାହା ପାଖରେ ନାହିଁ ।

Show More

Related Articles

Back to top button