୯୪ ବର୍ଷ ବୟସରେ ଦେହତ୍ୟାଗ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମ

ନୂଆଦିଲ୍ଲୀ: ଆଖି ବୁଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମ । ୪ ବର୍ଷ ହେଲା ସୁଖରାମଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ସୋମବାର ଦିନ ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍ସ୍) ରେ ଭର୍ତ୍ତି କରାଯାଇଥିଲା। ସେ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ଥିବା ତାଙ୍କ ନାତି କହିଛନ୍ତି । ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ରାତିରେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ସୁଖରାମଙ୍କ ନାତି ଆଶ୍ରୟ ଶର୍ମା ‘ଫେସ୍ବୁକ୍ ପୋଷ୍ଟ୍’ରେ ଲେଖଛନ୍ତି: ବିଦାୟ ଜେଜେ, ଏବେ ଆଉ ଫୋନ୍ ବାଜିବ ନାହିଁ। ଏଥିସହ ସେ ସୁଖରାମଙ୍କ ସହିତ ନିଜ ପିଲାବେଳର ଗୋଟାଏ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି। ତେବେ, ମେ’ ୪ରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ତାଙ୍କୁ ଉତ୍ତରପ୍ରଦେଶ ମଣ୍ଡି ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେବେଠାରୁ ତାଙ୍କର ଚିକିତ୍ସା ଚାଲିଥିଲା । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ପଣ୍ଡିତ ସୁଖରାମଙ୍କ ପାର୍ଥୀବ ଶରୀରକୁ ଦିଲ୍ଲୀରୁ ମଣ୍ଡି ନିଆଯିବ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଆସନ୍ତାକାଲି ସକାଳ ୧୧ଟାରେ ପଣ୍ଡିତ ସୁଖରାମଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ସହରର ଐତିହାସିକ ସେରୀ ମଞ୍ଚରେ ରଖାଯିବ। ଏହାପରେ ହନୁମାନଘାଟ ସ୍ଥିତ ଶ୍ମଶାନରେ ପୂରା ରାଜକୀୟ ସମ୍ମାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ।