Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟବାସୀଙ୍କ ପାଇଁ ବର୍ଷା ଆଣିବ ଆଶ୍ୱସ୍ତି

୩ ଡିଗ୍ରୀ ଯାଏଁ ଖସିବ ପାରଦ

ଆକାଶରୁ ନିଆଁ ବର୍ଷିଲା ଭଳି ଗ୍ରୀଷ୍ମ ଜ୍ୱାଳା । ଛଟପଟ ଜନଜୀବନ । ଚଳିତବର୍ଷ ପ୍ରଥମ ଥର ପାଇଁ ବୁଧବାର ପାରଦ ୪୪.୫ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ଏଭଳି ତାତିରେ ହୁତହୁତ ହୋଇ ଜଳୁଥିଲା ସୋନପୁର ସହର । ଏହାସହ ସୋନପୁର ପୁଣି ଥରେ ରାଜ୍ୟର ସବୁଠୁ ତତଲା ସହର ପାଲଟିଲା । ରାଜ୍ୟର ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା ବୁଧବାର । ୬ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଡେଇଁଥିଲା । ଏମିତି ଅସ୍ୱାଭାବିକ ଗରମରେ ସାରା ରାଜ୍ୟ ସନ୍ତୁଳି ହେଉଥିବାବେଳେ ଗୁରୁବାରଠାରୁ ହାଲୁକା ଆଶ୍ୱସ୍ତି ମିଳିପାରେ ଗ୍ରୀଷ୍ମ ପ୍ରକୋପରୁ । ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ଦୁଇଦିନ ଭିତରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । କେତେକ ଜାଗାରେ ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଫଳରେ ଗରମରୁ ଟିକିଏ ଆଶ୍ୱସ୍ତି ମିଳିପାରେ । ମାତ୍ର ୨୪ ତାରିଖରୁ ପୁଣି ଗରମ ବଢ଼ିବ । ତାପମାତ୍ରା ପୁଣି ୨-୩ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ସହ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିବ । ଗୁରୁବାର କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।

କେତେକ ଜାଗାରେ ଧୂଳିଝଡ଼, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ଆଶଙ୍କା ଅଛି । ଏହାବାଦ୍‌ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଟକ, ଅନୁଗୁଳ, ନୟାଗଡ଼ରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପବନ ହୋଇପାରେ । ୨୨ ତାରିଖରେ (ଶୁକ୍ରବାର) ଉପକୂଳ ଓଡ଼ିଶା ସହ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା, ପବନ, ଘଡ଼ଘଡ଼ି ଆଶଙ୍କା ରହିଛି । ଶନିବାର କାଳବୈଶାଖୀ ପ୍ରକୋପ ଜାରି ରହିବ । ରବିବାରଠାରୁ କାଳବୈଶାଖୀ ପ୍ରକୋପ କମିବା ସହ ପୁଣି ଗରମ ବଢ଼ିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ସୋନପୁର ପଛକୁ ବଲାଙ୍ଗିର ତାପମାତ୍ରା ୪୪ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ଟିଟିଲାଗଡ଼ରେ ପାରଦ ୪୩ ଡିଗ୍ରୀରେ ପହଞ୍ଚିଥିଲା । ୧୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବାବେଳେ ଅନୁଗୁଳ ୪୨.୧, ବାରିପଦା ୪୦.୪, କେନ୍ଦୁଝର ୪୦.୬, ସମ୍ବଲପୁର ୪୨.୪, ହୀରାକୁଦ ୪୧, ଭବାନୀପାଟଣା ୪୧.୫, ତାଳଚେର ୪୧.୪, ଭଦ୍ରକ ୪୦.୫, ବରଗଡ଼ ୪୦.୬, ନୂଆପଡ଼ା ୪୧.୫, ନୟାଗଡ଼ ୪୦, ପାରଳାଖେମୁଣ୍ଡି ୪୦.୮, ମାଲକାନଗିରି ୪୦ ଡିଗ୍ରୀ ତାତିରେ ଛଟପଟ ହୋଇଥିଲା ।

Show More

Related Articles

Back to top button