Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

୫ ଦିନ ଯାଏଁ ଅସମ୍ଭାଳ ଗରମ

କାଳବୈଶାଖି ହେଲେ ଖସିବ ତାତି

ପ୍ରତିଦିନ ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ଅଗ୍ନି ବର୍ଷା । ଦିନ ତମାମ ଜାଳୁଛି, ଭାଜୁଛି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ଉପକୂଳରେ ବଢ଼ିଲାଣି ଗୁଳୁଗୁଳି । ରାତିରେ ବି ଆଶ୍ୱସ୍ତି ମିଳୁନି । କଲବଲ କରିଦେଲାଣି ଏ ଲମ୍ବା ଅବଧି ଗ୍ରୀଷ୍ମ ପ୍ରବାହ । ଆଉ କେତେ ଦିନ ଏମିତି କଲବଲ କରିବ ତାତି? ବର୍ଷା କେବେ ହେବ? ଏ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି କରି ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ । ତାଜା ପୂର୍ବାନୁମାନ ଯାହା, ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ନିସ୍ତାର ନାହିଁ । ପ୍ରାୟ ମାସେ ହେବ ଜଳୁଥିବା ଆଭ୍ୟନ୍ତରୀଣ ଓଡ଼ିଶା ଆସନ୍ତା ୩/୪ ଭିତରେ ଆହୁରି ହୁତ୍‌ହୁତ୍‌ ହୋଇ ଜଳିବ । ପାରଦ ୪୫-୪୬ ଡିଗ୍ରୀ ଡେଇଁଯିବା ଆଶଙ୍କା ରହିଛି । ଉପକୂଳରେ ଏବେ ବିଶେଷ ବଢ଼ିନପାରେ । ହେଲେ ବିଶେଷ ଖସିବନି ବି ୨-୩ ଦିନ ଭିତରେ ।ଆଭ୍ୟନ୍ତରୀଣ ଓଡ଼ିଶା ଯେମିତି ଜଳୁଥିଲା, ସେମିତି ଜଳୁଛି । ଉପକୂଳରେ ମଙ୍ଗଳବାର ତାତି ସାମାନ୍ୟ ବଢ଼ିଥିବାବେଳେ ବୁଧବାର ତାପମାତ୍ରା ପୁଣି ବଢ଼ିଛି । ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ବର୍ତ୍ତମାନ ୪-୫ ଦିନ ତାତିରୁ ନିସ୍ତାର ନାହିଁ । ସ୍ୱାଭାବିକଠାରୁ ୩-୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ମେ’ ପ୍ରଥମ ସପ୍ତାହରେ ତାତିରୁ ଆଶ୍ୱସ୍ତି ମିଳିପାରେ । ଆସନ୍ତା ୨-୩ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିପାରେ । ତେବେ ୨୯, ୩୦ ଓ ୧ ତାରିଖରେ କାଳବୈଶାଖୀ ସମ୍ଭାବନା ଅଛି । ଏହି କାଳବୈଶାଖୀ ହେଲେ ହିଁ ତାତି ଖସିବ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ମେ’ ୩ ଯାଏଁ ଗ୍ରୀଷ୍ମ ପ୍ରବାହ ରହିବ ରାଜ୍ୟରେ । ଉପକୂଳ ଓଡ଼ିଶାରେ କାଳବୈଶାଖୀ ହେଲେ ଆସନ୍ତା ୧ କିମ୍ବା ୨ ତାରିଖରେ ତାତି କମିପାରେ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ଯାଏଁ ତାତି କମିବା ସମ୍ଭାବନା କ୍ଷୀଣ । କାଳବୈଶାଖୀ ହେଲେ ଆସନ୍ତା ୪ କିମ୍ବା ୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି କମିବ । ବର୍ତ୍ତମାନ ଉପକୂଳରେ ୩୯ରୁ ୪୧ ଡିଗ୍ରୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୩-୪୬ ଡିଗ୍ରୀ ଭିତରେ ତାତି ରହିବା ସମ୍ଭାବନା ଅଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମେ’ ମାସ ଆରମ୍ଭରୁ ପାଗ ବଦଳିପାରେ । ମେ’ ପ୍ରଥମ ସପ୍ତାହରେ ପାଗ ଆଂଶିକ ମେଘୁଆ ରହିବା ସହ କାଳବୈଶାଖୀ ସମ୍ଭାବନା ଅଛି । ସାମୁଦ୍ରିକ ପବନ ଯୋଗୁ ଗରମ କମିପାରେ । ଦ୍ୱିତୀୟ ସପ୍ତାହରେ କାଳବୈଶାଖୀ ବଢ଼ିବା ସମ୍ଭାବନା ଥିବାରୁ ଗରମ କମ୍‌ ରହିପାରେ । ଗୁରୁବାର ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ପାଖାପାଖିୀ ରହିବ । ପରବର୍ତ୍ତୀ ୫ ଦିନ ପର୍ଯ୍ୟନ୍ତ ରାଜଧାନୀରେ ପାରଦ ୩୭/୩୮ ଡିଗ୍ରୀ ରହିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ । ୨୯ରେ କେତେକ ସ୍ଥାନରେ ପାରଦ ୪୬ ଛୁଇଁପାରେ । ମେ’ ୨ରେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ତାତି କମିବ । ୪ରୁ କାଳବୈଶାଖୀ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ପାରଦ ୪୧ ଓ ଆଭ୍ୟନ୍ତରୀଣ ଉତ୍ତରରେ ୪୦ ଡିଗ୍ରୀ ତଳକୁ ଖସିପାରେ । ଆସନ୍ତା ୨୯ରୁ ୨ ତାରିଖ ଭିତରେ ଉପକୂଳରେ ସ୍ଥାନେ ସ୍ଥାନେ କାଳବୈଶାଖୀ ହେବ । ବିଶେଷ କରି କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ବର୍ଷା ସମ୍ଭାବନା ଅଛି । ୨ରୁ ୭ ତାରିଖ ଭିତରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ଅପେକ୍ଷାକୃତ ଅଧିକ କାଳବୈଶାଖୀ ସମ୍ଭାବନା ଅଛି । ସାରା ରାଜ୍ୟରେ ୪ରୁ ୬ ତାରିଖ ଭିତରେ କାଳବୈଶାଖୀ ବିସ୍ତୃତ ଅଞ୍ଚଳରେ ହୋଇପାରେ ।

Show More

Related Articles

Back to top button