ଓଡ଼ିଶାମୁଖ୍ୟ ଖବର

ଆସନ୍ତା ୪୮ଘଂଟା ଯାଏ ରାଜ୍ୟର ୨୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖା ଦେଇଥିବାବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ବର୍ଷା ଖରିଫ ଫସଲର ବେଉଷଣ ପାଇଁ ସହାୟକ ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି ।ପାଣିପାଗ ବିଭାଗ କହିଛି, ଗୁରୁବାର ସନ୍ଧ୍ୟା ସୁଦ୍ଧା ମାଲକାନଗିରିରେ ୮୩ ମିଲିମିଟର, ଝାରସୁଗୁଡ଼ାରେ ୮୨ ମିମି, ଗୋପାଳପୁରରେ ୪୭, ବୌଦ୍ଧରେ ୪୩, ଫୁଲବାଣୀରେ ୩୭, ଛତ୍ରପୁରରେ ୩୦,ପାରଳାଖେମୁଣ୍ଡିରେ ୩୦, ବାରିପଦାରେ ୨୫ ମିମି ବର୍ଷା ହୋଇଛି । ଏହାବାଦ୍‌ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ବି ଭଲ ବର୍ଷା ହୋଇଛି । ରାତି ଭିତରେ ସମଗ୍ର ଉପକୂଳ ଓଡ଼ିଶା ସମେତ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।ଆଇଏମଡି କହିଛି, ଶୁକ୍ରବାର ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ହେବ । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ଦେବଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଶନିବାର ବି ପ୍ରବଳ ବର୍ଷା ସମ୍ଭାବନା ଅଛି । ହେଲେ ଶୁକ୍ରବାର ତୁଳନାରେ ବର୍ଷା ପରିମାଣ କମିଯିବ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପୂର୍ବାନୁମାନ କରିଛି, ଲଘୁଚାପ ଶନିବାର ଅପରାହ୍ନ ସୁଦ୍ଧା ଉତ୍ତର ଆଡ଼କୁ ମୁହାଁଇ ବିହାର ଅଭିମୁଖେ ଯିବ । ଏହା ପ୍ରଭାବରେ ଗୁରୁବାର ରାତିରୁ ଶନିବାର ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।ସେହିପରି ଆସନ୍ତା ୨୮ ତାରିଖବେଳକୁ ବାଂଲାଦେଶ ଓ ଏହାର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଅଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ମୁହାଁଇବ । ଏହାର ପ୍ରଭାବ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ରହିବ । ଜୁଲାଇ ୨୮ରୁ ୩୦ ଯାଏଁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ଯାଜପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି ।ଆଜି ସୁଦ୍ଧା ରାଜ୍ୟରେ ୨୪% ବର୍ଷା କମ୍‌ ହୋଇଥିବାବେଳେ ୧୯ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଅନୁମାନ କରାଯାଉଛି, ଏହି ବର୍ଷାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବ । ତେବେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଯେତିକି ବିଳମ୍ବିତ ହୋଇଛି, ସେ କ୍ଷତି ଭରଣା ହେବ କି ନାହିଁ, ତାହା ଉପରେ ଚାଷୀଙ୍କ ନଜର ରହିଛି ।

Show More

Related Articles

Back to top button