ସିବିଆଇ ରେଡ୍ ବାହାନାରେ ଘରେ ପଶି ଲୁଟ୍ ଘଟଣା, 5 ଗିରଫ

ସିବିଆଇ ରେଡ୍ ବାହାନାରେ ଘରେ ପଶି ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିବା ୯ ଜଣିଆ ଡକାୟତ ଗ୍ୟାଙ୍ଗ୍ର ୫ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ଗତ ୨ ତାରିଖରେ ସନ୍ଧ୍ୟାରେ ଇନ୍ଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନିରେ ହୋଇଥିବା ଏହି ଡକାୟତି ମାମଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। କିନ୍ତୁ ପୁଲିସ ୩ ସପ୍ତାହରେ ଏହି ମାମଲାର ପର୍ଦ୍ଦାଫାସ କରିଛି।
ଅଗଷ୍ଟ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନନ୍ଦନବିହାର ବସୁନ୍ଧରା କଲୋନି ପ୍ଲଟ୍ ନମ୍ବର ୨୬୮/୨ ନିବାରଣ ପାଣିଙ୍କ ଘର ଭିତରକୁ କିଛି ଦୁର୍ବୃତ୍ତ ପଶି ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇଥିଲେ । ଆଉ ଘର ଭିତରୁ ଲୁଟ୍ ପାଟ କରିଥିଲେ ।
ତେବେ ଧରାପଡ଼ିଥିବା ପେସାଦାର ଡକାୟତମାନେ ହେଲେ ଅନୁଗୁଳ ରେଙ୍ଗାଲି ଡ୍ୟାମ୍ କଲୋନି ମନ୍ଦିରସାହି ଅଞ୍ଚଳର ହେମନ୍ତ କୁମାର ଧୀର (୩୨), ଲକ୍ଷ୍ମୀବଜାର ଅଞ୍ଚଳର ସନାତନ ନାୟକ ଓରଫ୍ ସନା (୪୨), ଭୁବନେଶ୍ବର ସାଲିଆସାହିରେ ରହୁଥିବା ଅନୁଗୁଳ ଅମଲାପଡ଼ାର ଅର୍ବାଜ ଖାଁ ଓରଫ୍ ବିଟୁ (୨୨), କେନ୍ଦ୍ରପଡ଼ା ପଟାମୁଣ୍ଡାଇ ତେଲେଙ୍ଗାବସନ୍ତର ସଞ୍ଜୟ ମଲ୍ଲିକ ଓରଫ୍ କାଳିଆ (୩୬) ଏବଂ ଭୁବନେଶ୍ବର ଲକ୍ଷ୍ମୀସାଗରରେ ରହୁଥିବା ଯାଜପୁର ବରୀ ଦରଘାର ଅଜ୍ମର ଅଲ୍ଲୀ ଓରଫ୍ ରାଜା (୪୮)।
ସେମାନଙ୍କଠାରୁ ପୁଲିସ୍ ନଗଦ ୧କୋଟି ୨ଲକ୍ଷ ଟଙ୍କା, ଗୋଟିଏ ସୁନା ହାର, ଗୋଟିଏ ଚେନ୍, ୪ଟି ମୁଦି ଓ ହଳେ କାନଫୁଲ ଜବତ କରିଛି। ଏଥିସହିତ ଏକ ଅଟୋମେଟିକ୍ ପିସ୍ତଲ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ୍ କୋଲକାତା, ଚେନ୍ନାଇ ଏବଂ ଅନୁଗୁଳ ରେଙ୍ଗାଲିରୁ ଗିରଫ କରିଛି। ତେବେ ଏହି ଡକାୟତିର ମୁଖ୍ୟ ସୂତ୍ରଧର ବାଦାଲ ଏବଂ ଅନ୍ୟ ତିନି ଡକାୟତ ଧରାପଡ଼ିନାହାନ୍ତି। ….