
ରାଜ୍ୟ ସରକାରଙ୍କ ଦୀପାବଳି ଭେଟି । ବୃଦ୍ଧି ପାଇଲା ଶ୍ରମିକଙ୍କ ମହଙ୍ଗା ଭତ୍ତା । ରାଜ୍ୟ ସର୍ବନିମ୍ନ ମଜୁରୀ ବୋର୍ଡର ସୁପାରିସ କ୍ରମେ ଶ୍ରମ ବିଭାଗ ପକ୍ଷରୁ ଏହି ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି । ଶ୍ରମ କମିଶନର ଏନ୍.ଥିରୁମାଲା ନାୟକ ଏହାକୁ ଅନୁମୋଦନ ଦେଇଛନ୍ତି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହେବେ ।
ବିଜ୍ଞପ୍ତିରୁ ପ୍ରକାଶ ଯେ, ଅଣକୁଶଳୀ ଶ୍ରମିକଙ୍କ ମଜୁରି ଦୈନିକ ୩୨୬ ଟଙ୍କାରୁ ୩୩୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସମକୁଶଳୀଙ୍କ ଦରମା ୩୬୬ରୁ ୩୭୩, କୁଶଳୀଙ୍କ ୪୧୬ରୁ ୪୨୩ ଏବଂ ଅତିକୁଶଳୀଙ୍କ ଦରମା ୪୭୬ ଟଙ୍କାରୁ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି । ସେପଟେ ମଜୁରି ବଢ଼ିବା ପରେ ଶ୍ରମିକ ମଧ୍ୟରେ ଖୁସିର ଲହରି ଖେଳିଛି । ଏହାକୁ ସ୍ୱାଗତ କରିଛନ୍ତି ଅନେକ ସଂଗଠନ ।