୪୫ ଦିନରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ ମଧ୍ୟ ସାରା ଜୀବନ ୧ କୋଟି ଲେଖାଏଁ ପାଇବେ ଲିଜ ଟ୍ରସ

ଲଣ୍ଡନ: ଟିକସ ହ୍ରାସ ଓ ଆର୍ଥିକ ନୀତିକୁ ନେଇ ଚାପରେ ଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଗୁରୁବାର ପଦ ଛାଡ଼ିଛନ୍ତି। ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ମାତ୍ର ୪୫ ଦିନ କାମ କରିଛନ୍ତି। ଏଥିସହ ବ୍ରିଟେନ ଇତିହାସରେ ଲିଜ୍ ଟ୍ରସ ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ସବୁଠାରୁ କମ ଦିନ ଶାସନ ଗାଦିରେ ବସିବାର ରେକର୍ଡ କରିଛନ୍ତି। ମାତ୍ର ୪୫ ଦିନ ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ ମଧ୍ୟ ଲିଜ୍ ଟ୍ରସ ସାରା ଜୀବନ ରାଜକୋଷରୁ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ଭତ୍ତା ଆକାରରେ ପାଇବେ। ନିୟମ ଅନୁସାରେ, ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିବା ସଦସ୍ୟଙ୍କୁ ବର୍ଷକୁ ୧୧୫,୦୦୦ ପାଉଣ୍ତ ମିଳିବ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୧,୦୬,୩୬,୪୬୩ ଟଙ୍କା। ପ୍ରକାଶିତ ସୂଚନା ଅନୁସାରେ, ଟ୍ରସ ଆଜୀବନ ବର୍ଷକୁ ଏତେ ପରିମାଣର ଟଙ୍କା ଭତ୍ତା ଆକାରରେ ପାଇବେ। ଟିକସ ଦାତାଙ୍କ ଅର୍ଥରୁ ତାଙ୍କୁ ଏହା ଦିଆଯିବ। ପବ୍ଲିକ ଡ୍ୟୁଟି କଷ୍ଟସ ଆଲାଉନ୍ସ ବା ପିଡିସିଏ ଜରିଆରେ କଞ୍ଜରଭେଟିଭ ପାର୍ଟିର ନେତା ଟ୍ରସ ନିଜର ଭତ୍ତା ମାଗି ପାରିବେ। ସର୍ବସାଧାରଣ ଜୀବନରେ ସକ୍ରିୟ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ବ୍ରିଟେନରେ ପିଡିସିଏ ବ୍ୟବସ୍ଥା ପ୍ରଣୟନ କରାଯାଇଛି। ଏହି ଭତ୍ତା ବ୍ୟବସ୍ଥା ୧୯୯୦ରେ ମାରଗାରେଟ ଥାଚେରଙ୍କ ଇସ୍ତଫା ପରେ ଲାଗୁ ହୋଇଥିଲା। ତାଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ଜନ ମେଜର ୧୯୯୧ ମାର୍ଚ୍ଚ ମାସରେ ଏହି ବ୍ୟବସ୍ଥା ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲାଗୁ କରିଥିଲେ। ଏହି ଯୋଜନା ଲାଗୁ ହେବା ପରେ ଅତୀତରେ ଅନେକ ପ୍ରଧାନମନ୍ତ୍ରୀ ନିୟମ ଜରିଆରେ କୋଟିକୋଟି ଟଙ୍କା ନେଇଛନ୍ତି।