ଓଡ଼ିଶା

ଅହଂର ବିଲୋପ

ଅହଙ୍କାର, ଅଭିମାନକୁ ନେଇ କୌଣସି ବିଦ୍ୟା ତିଷ୍ଠିପାରେ ନାହିଁ

ଅନେକ ମଣିଷଙ୍କ ଭିତରେ ସୂକ୍ଷ୍ମ ଅହଙ୍କାରଟିଏ ଲୁଚି ରହିଥାଏ । ସେ ଧନ, କ୍ଷମତା, ଯୋଗ୍ୟତା, ରୂପ ଇତ୍ୟାଦି ଯାହା କିଛି ବି ହୋଇପାରେ । ଅନ୍ୟମାନଙ୍କଠାରୁ ଟିକିଏ ପ୍ରଶଂସା ପାଇଲେ ଅହଙ୍କାର ବେଳେବେଳେ ବଢ଼ି ଯାଇଥାଏ । ଅହଙ୍କାର ମଣିଷକୁ ମଦାନ୍ଧ କରିଦିଏ । ଫଳରେ ମଣିଷ ଚିହ୍ନିପାରେ ନାହିଁ ନିଜର ଦୋଷ ଓ ଦୁର୍ବଳତାକୁ ।

ହିମାଳୟ ନିକଟରେ ଏକ ପୁଷ୍କରିଣୀ କୂଳରେ ଅସ୍ତବ୍ୟସ୍ତ ହୋଇ ଅଙ୍ଗଚ୍ଛେଦଜନିତ ଯନ୍ତ୍ରଣାରେ କଲବଲ ହେଉଥିଲେ କିଛି ଅପାର୍ଥିବ ଜୀବନ । ବୀଣା ଝଙ୍କାର ତୋଳି ଯାଉଥିବା ଦେବର୍ଷି ନାରଦଙ୍କର ଦୃଷ୍ଟି ପଡ଼ିଲା । ସେମାନଙ୍କ ଯନ୍ତ୍ରଣା ଜର୍ଜରିତ କରୁଣ ଚିତ୍କାରରେ ଅଟକି ଗଲେ ନାରଦ । ପରିଚୟ ପଚାରନ୍ତେ ଜାଣିଲେ ସେମାନେ ଉପଦେବଦେବୀ । ସଙ୍ଗୀତ ଗନ୍ଧର୍ବ ଶ୍ରେଣୀୟ । ଗୀତ, ବାଦ୍ୟ ଇତ୍ୟାଦିରେ ସେମାନେ ନିପୁଣ । ‘ଏଠାରେ ଏପରି ଯନ୍ତ୍ରଣାଦଗ୍ଧ ହୋଇ ପଡ଼ିଛନ୍ତି କାହିଁକି ?’ – ନମ୍ରତାର ସହିତ ପ୍ରଶ୍ନ କଲେ ଦେବର୍ଷି । ସେମାନଙ୍କର ଉତ୍ତର ଥିଲା– ‘ସଙ୍ଗୀତର ଆଳାପ ସ୍ୱରରେ ଅନେକ ତ୍ରୁଟି ହେତୁ ଆମେ ଏହିପରି ଦଶା ଭୋଗୁଛୁ।’ ନାରଦ ଭାବିଲେ ମୋ’ଠାରୁ ଏମାନେ ସଙ୍ଗୀତ ଶୁଣିଥିଲେ ହୁଏତ ଏପରି ଦଶା କେବେ ବି ଭୋଗି ନଥାନ୍ତେ । ନାରଦ ପୁଣି ଥରେ ସେମାନଙ୍କ ନିକଟରେ ବୀଣା ବଜାଇ ଗୀତ ଗାଇବାକୁ ଲାଗିଲେ । ଉକ୍ତ ଉପଦେବଦେବୀ ପୁନର୍ବାର ଯନ୍ତ୍ରଣାରେ ଦମ୍ଭୀଭୂତ ହେବାକୁ ଲାଗିଲେ। ନାରଦ ନିଜର ସଙ୍ଗୀତ ପରିବେଷଣ ବନ୍ଦ କରିଦେଲେ । ସେମାନେ ପୂର୍ବ ଅବସ୍ଥାକୁ ଫେରି ଆସିଲେ। ନିଜର ସଙ୍ଗୀତ ଜ୍ଞାନ ଓ ପରିବେଷଣ ଶୈଳୀକୁ ନେଇ ନାରଦଙ୍କ ଭିତରେ ଥବା ଅହଙ୍କାର ଧୂଳିସାତ୍ ହୋଇଗଲା । ଏବେ ନାରଦଙ୍କର ଜାଣିବାକୁ ବାକି ରହିଲା ନାହିଁ ଯେ ତାଙ୍କ ଦ୍ବାରା ପରିବେଷିତ ସଙ୍ଗୀତ ଅତ୍ୟନ୍ତ ତ୍ରୁଟିଯୁକ୍ତ ହେତୁ ଏହି ଉପଦେବଦେବୀମାନେ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି। ‘ତେବେ ଏଥିରୁ ମୁକ୍ତି ପାଇବାର ଉପାୟ କ’ଣ ହୋଇପାରେ ?’ – ପ୍ରଶ୍ନ କଲେ ଦେବର୍ଷି ନାରଦ । ସେମାନେ ଉତ୍ତର ଦେଲେ– ‘ଆମେ ଦେବଦେବ ମହାଦେବଙ୍କଠାରୁ ସଙ୍ଗୀତ ଶୁଣିଲେ ପୂର୍ବ ଅବସ୍ଥା ଫେରି ପାଇବୁ।’ ଦେବର୍ଷି ବିଶ୍ଵାସ କରିପାରୁ ନଥିଲେ ମହାଦେବଙ୍କର ସଙ୍ଗୀତ ଭିତରେ ଗଭୀର ପ୍ରବେଶ ରହିଛି ବୋଲି। ମହାଦେବଙ୍କୁ ନିମନ୍ତ୍ରଣ କରାଗଲା । ହେଲେ ମହାଦେବ କହିଲେ
‘ଗନ୍ଧର୍ବମାନେ ତ ମୋ ସଙ୍ଗୀତ ଶୁଣିବେ । ମାତ୍ର ଅନ୍ୟ କିଛି ଭଲ ଶ୍ରୋତା ମଧ୍ୟ ଦରକାର ।’ ନାରଦ ନିଜକୁ ସେହି ଶ୍ରୋତା ସ୍ଥାନରେ ରଖି ସାରିଥିଲେ ମନେମନେ । ହେଲେ ଭଗବାନ ଶଙ୍କର କହିଲେ ‘ବ୍ରହ୍ମା ଏବଂ ବିଷ୍ଣୁ ହିଁ ମୋ ସଙ୍ଗୀତର ଉପଯୁକ୍ତ ଶ୍ରୋତା ଅଟନ୍ତି।’ ନାରଦଙ୍କର ଅଭିମାନ ତ୍ରୁଟି ଧୂଳିସାତ୍ ହୋଇଗଲା । ସେ ନିଜକୁ ଶ୍ରେଷ୍ଠ ସଙ୍ଗୀତଜ୍ଞ ବୋଲି ଭାବୁଥିଲେ। ମାତ୍ର ଜାଣିଲେ ତାଙ୍କର ଉପଯୁକ୍ତ ଶ୍ରୋତା ହେବାର ଯୋଗ୍ୟତା ମଧ୍ୟ ନାହିଁ ।

 

Show More

Related Articles

Back to top button