
ଏକ ଘରୋଇ ଚ୍ୟାନେଲର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କା ଠକେଇ ଓ ଜାଲିଆତି ଅଭିଯୋଗ ରହିଛି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର EOW । ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଉଠାଇ ନେଇ ଜେରା କରୁଥିବା EOW ପକ୍ଷରୁ ଆଜି ତାଙ୍କୁ ଗିରଫ କରାଯାଇଛି।
ଦିଲ୍ଲୀର ଗଗନଦୀପ ଚାୱଲା ନାମକ ଜଣେ ବ୍ୟବସାୟୀଙ୍କ ନିକଟରୁ ଅର୍ଦ୍ଧେନ୍ଦୁ ଦାସ ନିଜ ଚ୍ୟାନେଲ ପାଇଁ ପ୍ରାୟ କୋଟିଏ ଟଙ୍କାର ଜିନିଷ କିଣିଥିଲେ। ମାତ୍ର ସେ ଏହି ଟଙ୍କା ଦେଇ ନ ଥିବା ନେଇ ବ୍ୟବସାୟୀଜଣକ EOW ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ଼ କରି EOW ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଛି।
ଅର୍ଦ୍ଧେନ୍ଦୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋ ନାଁରେ ଯେଉଁ ଅଭିଯୋଗ ରହିଛି ଏହା ସିଭିଲ ନେଚରର ଅଟେ । ଏହା ଦୁଇ ଜଣକ ଭିତରେ ଏକ ବ୍ୟାବସାୟିକ ବୁଝାମଣା । ବ୍ୟବସାୟୀ ଗଗନଦୀପ ଚାୱଲା ଆମକୁ ପୁରୁଣା ଜିନିଷ ଦେଇଥିଲେ। ଏନେଇ ତାଙ୍କ ସହ ଚୂଡ଼ାନ୍ତ କଥାବାର୍ତ୍ତା ସରିଛି। ବକେୟା ଟଙ୍କା ଦେବା ଲାଗି ଚେକ୍ ବି ପ୍ରସ୍ତୁତ ହୋଇଯାଇଛି । ଏ ସଂପର୍କରେ EOW ଓ ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ଜାଣିଛନ୍ତି । ତା’ ପରେ ବି ଏତେ ସଂଖ୍ୟାରେ ଅଫିସର ଆସି ମୋତେ ରାତି ଅଧରେ ଯିବାକୁ ପଡ଼ିବ ବୋଲି କହୁଛନ୍ତି। ତେଣୁ ମୁଁ ଯାଉଛି। ଆମେ ଏହି କେସ୍ରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଚାହୁଁଛୁ।
ସେହିପରି ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ବରଗଡ଼ ଥାନା, ମର୍କତନଗରୀ ଥାନା ଓ ପୁରୀଘାଟ ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଛି। ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଘରଭଡ଼ା ବାବଦ ଦେୟ ଅର୍ଦ୍ଧେନ୍ଦୁ ଦାସ ଦେଇ ନ ଥିବା ନେଇ ଘରମାଲିକ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅର୍ଦ୍ଧେନ୍ଦୁଙ୍କ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଦରମା ପାଇ ନ ଥିବା ନେଇ ମର୍କତନଗରୀ ଥାନାରେ ଅଭିଯୋଗ କରିଛନ୍ତି। ଏହାବାଦ କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାପତ୍ର କିଣିଥିବାବେଳେ ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ।