
ମୈଶୂର: ପ୍ରବଳ ବର୍ଷା, ବିଜୁଳି ଓ ଘଡ଼ଘଡ଼ିକୁ ଖାତିର ନ କରି ଗାନ୍ଧି ଜୟନ୍ତୀରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। କର୍ଣ୍ଣାଟକର ମୈଶୁରରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଭାଷଣ ଦେଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ବି ରାହୁଲଙ୍କ ଭାଷଣ ଶୁଣିବା ପାଇଁ ପ୍ରବଳ ଗହଳି ହୋଇଥିଲା। ମୈଶୂରରେ ହେଉଥିବା ବର୍ଷା, ବିଜୁଳିକୁ ଖାତରି ନକରି ନିଜ ନେତାଙ୍କୁ ଦେଖିବାକୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଗହଳି ହୋଇଥିଲା। ବର୍ଷାରେ ଭିଜି ରାହୁଲ ଗାନ୍ଧି ଭାଷଣ ଦେଉଥିବା ଭିଡିଓକୁ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, କୌଣସି ଶକ୍ତି ଭାରତ ଯୋଡ଼ୋ ଯାତ୍ରାକୁ ଅଟକାଇ ପାରିବ ନାହିଁ। ମୈଶୁରରରେ ପ୍ରବଳ ବର୍ଷା ସତ୍ତ୍ୱେ ରାହୁଲଙ୍କୁ ଶୁଣିବାକୁ ଆସିଥିବା ଶତାଧିକ ଲୋକଙ୍କ ମଧ୍ୟରେ ବିଜୁଳିର ତରଙ୍ଗ ଭରିଥିଲେ ରାହୁଲ ଗାନ୍ଧି। ଘୃଣା, ବିଦ୍ୱେଷ, ବେକାରୀ ଉପରେ କହି ଦେଶକୁ ଏକାଠି କରିବାକୁ କୌଣସି ଶକ୍ତି ଅଟକାଇପାରିବ ନାହିଁ। ସୂଚନା ଅନୁଯାୟୀ କଂଗ୍ରେସ ପକ୍ଷରୁ ଗତ ସେପ୍ଟମ୍ବର ୭ରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୧୫ ଦିନରେ ୩୫୦୦ କିମି ଅତିକ୍ରମ କରିବ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଏହି ପଦଯାତ୍ରା କନ୍ୟାକୁମାରୀରେ ଏକ ମେଗା ରାଲିରୁ ଆରମ୍ଭ ହୋଇଛି। ଏହି ଯାତ୍ରାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏହି ପଦଯାତ୍ରା ସମୟରେ ଲୋକଙ୍କ ସହିତ ଦରବୃଦ୍ଧି, ବେକାରୀ ଏବଂ ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ସଂପର୍କ ସ୍ଥାପନ କରାଯାଉଛି। କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଏହି ପଦ ଯାତ୍ରା ସମୟରେ ରାହୁଲ ଏକ ସିପିଂ କଣ୍ଟେନର କ୍ୟାବିନ୍ରେ ରହିବେ।