
ନୂଆଦିଲ୍ଲୀ-ରାଜଧାନୀ ଦିଲ୍ଲୀ ସହିତ ଆଖପାଖ ଅଞ୍ଚଳ ଉତ୍ତରପ୍ରଦେଶରେ ନୋଏଡା ଓ ଗାଜିଆବାଦରେ ବାୟୁ ପ୍ରଦୂଷଣ ସ୍ଥିତି ଉଦବେଗଜନକ । ବାୟୁ ଏତେ ମାତ୍ରାରେ ଖରାପ ହୋଇଯାଇଛି ଯେ, ଲୋକଙ୍କ ଆଖି ପୋଡିବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି । ଯାହାକୁ ନେଇ ଦିଲ୍ଲୀବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଶୁକ୍ରବାର ସକାଳ 5ଟାରେ ପ୍ରଦୂଷଣ ସ୍ତର ଜାରି କରିଛନ୍ତି । ଦିଲ୍ଲୀ ଗମ୍ଭୀର ଶ୍ରେଣୀ ସହିତ ଏକ୍ୟୁଆଇ 459ରେ ରହିଛି । ସେହିପରି ନୋଏଡାରେ ଏହି ସ୍ତର 418 ରହିଥିବା ବେଳେ ଗାଜିଆବାଦରେ ଏକ୍ୟୁଆଇ 363 ରେକର୍ଡ ହୋଇଛି ।
ଗୁରୁବାର ସନ୍ଧ୍ୟା 5ଟାରେ ଦିଲ୍ଲୀର ଏକ୍ୟୁଆଇ 402 ଥିଲା । ଯାହାକି ବାୟୁ ଗୁଣବତ୍ତା ସୂଚକାଙ୍କରେ ସବୁଠୁ ବିପଦଜନକ ସ୍ତର ବୋଲି ଧରାଯାଏ । ଆଜି ସକାଳେ ଏହି ଏହି ବିପଦଜନକ ସ୍ତରକୁ ପାର୍ କରିଛି । ଏବଂ ଦିଲ୍ଲୀରେ ଖୁବ ଜୋରରେ ବିଷାକ୍ତ ହେଉଛି ବାୟୁ ।
ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗୁରୁବାର ବଡ ନିଷ୍ପତ୍ତି ନେଇଛନ୍ତି । ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଦିନ ବନ୍ଦ ରହିବ ସ୍କୁଲ । ତେବେ ଅନଲାଇନରେ ପାଠପଢା ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଆଗାମୀ ଦୁଇ ସପ୍ତାହରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଆହୁରି ବଢିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।