ଓଡ଼ିଶାମୁଖ୍ୟ ଖବର

ଦାନା ବାନ୍ଧୁଛି ଲଘୁଚାପ

୨ ରାଜ୍ୟରେ ପ୍ରବଳ ବର୍ଷା !

ଦକ୍ଷିଣ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୧୫ ତାରିଖ ସୁଦ୍ଧା ତିନୋଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ମୁଖ୍ୟତଃ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ଭାରି ବର୍ଷା ହେବ । ତେବେ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବା ସହ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଦୀପାବଳିରେ ପାଗ ମେଘୁଆ ରହିବା ସହ ଦକ୍ଷିଣ ଉପକୂଳର କେତେକ ଜାଗାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ଡକ୍ଟର ପଶୁପାଳକ କହିଛନ୍ତି, ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ଥିବାବେଳେ ଆଉ ୨ଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହାର ପ୍ରଭାବରେ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କେତେକ ଜାଗାରେ ହାଲୁକା ବର୍ଷା ହେବା ନେଇ କେବଳ ଜିଏଫ୍‌ଏସ୍‌ ମଡେଲ ପୂର୍ବାନୁମାନ କରିଛି ।ରବିବାରଠୁ ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାରେ ୫୦ରୁ ୮୦ ମିମି ବର୍ଷା ହୋଇପାରେ । ୮ରୁ ୧୫ ତାରିଖ ଭିତରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ କିଛି ବର୍ଷା ସମ୍ଭାବନା ଅଛି ।

ଉପକୂଳ ଏବଂ ସଂଲଗ୍ନ ଜିଲ୍ଲା ବ୍ୟତୀତ ବାକି ଜିଲ୍ଲାରେ ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ରାତି ତାପମାତ୍ରା ୪ ତାରିଖ ସୁଦ୍ଧା ୨ରୁ ୩ ଡିଗ୍ରୀ କମିପାରେ । ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ଅକ୍ଟୋବର ୩୧ ତାରିଖ ଓ ନଭେମ୍ବର ୧ରେ ପାଗ କୋହଲା ରହିବ । ୧ରୁ ୭ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କମିପାରେ । ରବିବାର ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳରେ ପାଗ ମେଘୁଆ ରହିବା ସହ ବିକ୍ଷିପ୍ତ ବର୍ଷା ହୋଇପାରେ । ୨ ତାରିଖରେ ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ାର ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସହ ପାଗ କୋହଲା ରହିବା ସମ୍ଭାବନା ଅଛି । ପାଗ ପରିବର୍ତ୍ତନ ଯୋଗୁ ବର୍ତ୍ତମାନ ଧାନ ଫସଲରେ ପତ୍ରପୋଡ଼ା ଓ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ ବଢ଼ିବ ବୋଲି ଡକ୍ଟର ପଶୁପାଳକ ସତର୍କ କରାଇ ଦେଇଛନ୍ତି ।

Show More

Related Articles

Back to top button