Breaking PLUSଓଡ଼ିଶା

ସୁଧାଂଶୁ ଶେଖର ରାଉତଙ୍କୁ କୋର୍ଟ ଚାଲାଣ

ଧାବିକା ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ପ୍ରଦାନ ନେଇ ଗିରଫ ସାମ୍ବାଦିକ ସୁଧାଂଶୁ ଶେଖର ରାଉତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏଥିନେଇ ୭ ଦିନ ରିମାଣ୍ଡରେ ନେବା ଲାଗି ପୁଲିସ ଆବେଦନ କରିଛି । ଗତକାଲି ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁଙ୍କୁ ଗିରଫ କରାଯାଇଥିଲା । ଆଜି ସଂପୃକ୍ତ ସାମ୍ବାଦିକଙ୍କ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଥିବା ନେଇ ଅଲିମ୍ପିଆନ୍ ଦୂତୀ ଚାନ୍ଦ ଏକ ୱେବ ଚ୍ୟାନେଲ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ଏହି ଅଭିଯୋଗ କ୍ରମେ ଗତକାଲି ପୁଲିସ୍‌ ଉକ୍ତ ୱେବ୍‌ ଚ୍ୟାନେଲର ସଂପାଦକଙ୍କୁ ଗିରଫ କରିଥିବା ବେଳେ ଆଜି ଉକ୍ତ ଚ୍ୟାନେଲର ଜଣେ ରିପୋର୍ଟରଙ୍କୁ ଗିରଫ କରିଛି । ଗତକାଲି ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଗିରଫ ହୋଇଥିବା ବେଳେ ଆଜି ଗିରଫ ରିପୋର୍ଟର ହେଉଛନ୍ତି ସ୍ମୃତିରଂଜନ ବେହେରା । ଉଭୟଙ୍କ ଗିରଫଦାରୀ ନେଇ ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଗତକାଲି ଏକ ୱେବ୍‌ ଚ୍ୟାନେଲର ସଂପାଦକ ସୁଧାଂଶୁ ଶେଖର ରାଉତଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସ୍‌ରୁ ଉଠାଇ ନେଇଥିଲା ପୁଲିସ୍‌ । ସୁଧାଂଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିବା ବେଳେ ପରେ ତାଙ୍କୁ ଗିରଫ କରାଯାଇଥିଲା । ଏଥିସହ ତାଙ୍କ ଅଫିସରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ କିଛି ଜିନିଷ ଜବତ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଥିଲେ । ଏହି ଘଟଣାରେ ଆଜି ଉକ୍ତ ଚ୍ୟାନେଲର ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରାଯାଇଛି ।

ଦୂତୀ ଅଭିଯୋଗ କରିଥିଲେ ଯେ ,ସେ ପରିଶ୍ରମ କରି ଯେଉଁ ମାନ-ସମ୍ମାନ ଅର୍ଜନ କରିଛନ୍ତି, ତାକୁ କେତେକ କୁଚକ୍ରି ଗୋଷ୍ଠୀ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି । ସୁଧାଂଶୁ ଶେଖର ରାଉତ ପ୍ରତି ମୁହୂର୍ତ୍ତରେ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ବିରୋଧରେ ବିବାଦୀୟ ଖବର ପରିବେଷଣ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ଟୋକିଓରେ ଖେଳ ଉପରେ ଫୋକ୍‌ସ କରୁଥିବା ବେଳେ ସୁଧାଂଶୁ ଶେଖର ରାଉତ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ବ୍ଲାକ୍‌ମେଲିଂ କରୁଥିଲେ ।

ସୁଧାଂଶୁଙ୍କ ସହିତ ସେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମଧ୍ୟ ମହିଳା ଥାନାରେ ଏତଲା ଦେଇଛନ୍ତି । ଉଭୟ ସୁଧାଂଶୁ ଓ ପ୍ରଦୀପଙ୍କ ବିରୋଧରେ ସେ କୋର୍ଟରେ ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି ।

ଗତକାଲି ସୁଧାଂଶୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ କହିଥିଲେ, ଦୂତୀ ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ । ତାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ। ଏକ ଦାୟିତ୍ୱବାନ ୱେବ୍‌ ଚ୍ୟାନେଲ୍ ହିସାବରେ ଆମେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ । କିନ୍ତୁ ପ୍ରତିକ୍ରିୟା ବଦଳରେ ସେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଙ୍ଘାତି ଅଭିଯୋଗ ଲଗାଇଲେ ।

ସେହିପରି ପ୍ରଦୀପ ପ୍ରଧାନ କହିଥିଲେ ଯେ ସେ ଦୂତୀଙ୍କ ବିରୋଧରେ ସେମିତି କିଛି ମାନହାନି ସୂଚନକ ମନ୍ତବ୍ୟ ଦେଇ ନାହାନ୍ତି । କେବଳ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିବାରୁ ସୋଶାଲ୍‌ ମିଡିଆ ଆଲୋଚନା କରିଥିଲେ । ଏନେଇ ବହୁ ଲୋକ ବହୁ କମେଣ୍ଟ ଦେଇଥିଲେ । ଆଉ ମୁଁ ମଧ୍ୟ ଦେଇଥିଲି ବୋଲି ସେ କହିଥିଲେ ।

Show More

Related Articles

Back to top button