ସରକାର ମୋବାଇଲ ଯନ୍ତ୍ରାଂଶ ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି। ଏଥିରେ ଡିସପ୍ଲେ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ହୋଇଛି। ଏଣୁ ଦେଶରେ ମୋବାଇଲ ଫୋନ ମୂଲ୍ୟରେ ଅନୁନ୍ୟ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିର ଆଶଙ୍କା କରାଯାଉଛି। ଡିସପ୍ଲେ ଆସେମ୍ବ୍ଲି ଓ ଟଚ୍ ପାନେଲ ଉପରେ ସରକାରଙ୍କ ଶୁଳ୍କ ବୃଦ୍ଧି ପ୍ରସ୍ତାବ ୧ ଅକ୍ଟୋବରରୁ ଲାଗୁ ହେବାର ଥିଲା।
ଶୁଳ୍କ ଲାଗୁ ପରେ ମୋବାଇଲ ଫୋନ ମୂଲ୍ୟରେ ଦେଢରୁ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଆଇସିଇଏ ଜାତୀୟ ସଭାପତି ପଙ୍କଜ ମହେନ୍ଦ୍ରୁ କହିଛନ୍ତି।ଆଇସିଇଏ ସଦସ୍ୟଙ୍କ ମଧ୍ୟରେ ଆପଲ, ହୁୱେଇ, ସିୟୋମୀ, ଭିଭୋ ଓ ୱିନଷ୍ଟ୍ରନ ଭଳି ମୋବାଇଲ ଫୋନ ନିର୍ମାତାମାନେ ଅଛନ୍ତି। ମୋବାଇଲ ଫୋନ ଯନ୍ତ୍ରାଂଶର ଘରୋଇ ଉତ୍ପାଦନ ଲାଗି ଉଦ୍ୟୋ ସଂକଳ୍ପବଦ୍ଧ। ଏହା ଦ୍ୱାରା ଆମଦାନୀ ହତୋତ୍ସାହିତ ହେବା ସହ ଦେଶ ଏଭଳି ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିବ ବୋଲି ମହେନ୍ଦ୍ରୁ କହିଛନ୍ତି।୨୦୧୬ ମସିହାରେ ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ସମୂହ ଦେଶରେ ଟ୍ୱିନଷ୍ଟାର ଡିସପ୍ଲେ ଟେକ୍ନୋଲଜି ନାମରେ ଦେଶର ପ୍ରଥମ ଏଲସିଡି ଉତ୍ପାଦନ କାରଖାନା ନିମନ୍ତେ ପ୍ରସ୍ତାବ ରଖିଥିଲେ। ଏହି କାରଖାନା ଲାଗି ୬୮ ହଜାର କୋଟି ଟଙ୍କାର ନିବେଶ ହୋଇଥାନ୍ତା। ତେବେ ସେତେବେଳେ ସରକାର ଏହି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିନଥିଲେ ଏଣୁ ପ୍ରସ୍ତାବ ଆଗକୁ ବଢିପାରିନଥିଲା। ହେଲେ ସରକାର ଏବେ ଶୁଳ୍କ ବୃଦ୍ଧି କରିବା ପରେ ଏପରି ସାମଗ୍ରୀର ପୂର୍ବରୁ ଆମଦାନୀ ହ୍ରାସ ଯୋଗୁ ସେତେମାତ୍ରାରେ ଷ୍ଟକ୍ ନଥିବା ମହେନ୍ଦ୍ରୁ କହିଛନ୍ତି।