କରୋନାରେ ଆଶ୍ୱସ୍ତିର ଖବର ! ଭାରତରେ ହ୍ରାସ ହେଉଛି ସଂକ୍ରମଣର R-value, ତଥାପି ବଡ଼ ସହରାଞ୍ଚଳ ଲାଗି ଟଳିନି ବିପଦ
କରୋନା ଭାଇରସର ତୀବ୍ରତା ଦର୍ଶାଉଥିବା ଆର-ଭାଲ୍ୟୁ ଦେଶରେ କ୍ରମଶଃ ହ୍ରାସ ହେଉଛି। ଭୂତାଣୁ ସଂକ୍ରମଣର ଗବେଷଣା କରୁଥିବା ବୈଜ୍ଞାନିକମାନେ ଏହି ସୂଚନା ଦେଇଛନ୍ତି। ଏବେ ଭୂତାଣୁ ସଂକ୍ରମଣର ତୀବ୍ରତା ଅନେକ ରାଜ୍ୟରେ ୧ରୁ ବି ତଳକୁ ଚାଲିଯାଇଛି।

ଗତ ଅଗଷ୍ଟମାସରେ ଆର-ଭାଲ୍ୟୁ ୧ରୁ ଉପରକୁ ଉଠିବାରେ ଲାଗିଥିଲା। ତେବେ ସେପ୍ଟେମ୍ବର ମଝି ସପ୍ତାହ ବେଳକୁ ଏହା ହ୍ରାସ ହୋଇ ୦.୯୨କୁ ଚାଲି ଆସିଛି। ଦେଶର ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟ ଯେଉଁଠି ସଂକ୍ରମଣ ଚିନ୍ତାଜନକ ଥିଲା ସେଠାରେ ମଧ୍ୟ ଆର-ଭାଲ୍ୟୁ ହ୍ରାସ ହୋଇଛି। ଭୂତାଣୁ ଯେଉଁ ବେଗରେ ଗତି କରେ ତାହାହିଁ ହେଉଛି ସଂକ୍ରମଣର ଆର-ଭାଲ୍ୟୁ। ଏଣୁ ଏବେ ଅନେକ ରାଜ୍ୟ ଲାଗି ଆଶ୍ୱସ୍ତି ଆଣିଦେଇଛି। ହେଲେ ଦେଶର ମୁଖ୍ୟ ସହରାଞ୍ଚଳ ଯେପରିକି ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁରେ ଏବେବି ଆର-ଭାଲ୍ୟୁ ୧ରୁ ଉପରେ ରହୁଛି। ହେଲେ ଦିଲ୍ଲୀ ଓ ପୁଣେରେ ଆର-ଭାଲ୍ୟୁ ୧ରୁ ତଳକୁ ଚାଲିଛି।ହେବାରେ ଲାଗିଥିଲା। ଏହା ୧.୧୧କୁ ଖସିଆସିଥିଲା ଓ ସେବେଠାରୁ ଏହା ୧ରୁ ତଳକୁ ଖସିଛି।
ଚେନ୍ନାଇ ଇନିଷ୍ଟେଚ୍ୟୁଟ୍ ଅଫ ମ୍ୟାଥମେଟିକାଲ ସାଇନ୍ସେସ୍ଙ୍କ ସୀତାଭରା ସିହ୍ନା ଦେଶର ଆର-ଭାଲ୍ୟୁ ୧ରୁ ତଳକୁ ଖସିବା ବାସ୍ତବିକ ଆଶ୍ୱସ୍ତିକର ଖବର ବୋଲି କହିଛନ୍ତି। ତେବେ ମହାରାଷ୍ଟ୍ର ଓ କେରଳରେ ଏବେବି ସକ୍ରିୟ ମାମଲା ରହିଛନ୍ତି। ଆର-ଭାଲ୍ୟୁର ଗଣନା କରୁଥିବା ଗବେଷକଙ୍କ ଟିମର ନେତୃତ୍ୱ କରୁଛନ୍ତି ସୀତାଭରା। ଗବେଷକଙ୍କ ଅନୁସାରେ ଏବେ ମୁମ୍ବାଇର ଆର-ଭାଲ୍ୟୁ ୧.୦୯ ଥିବା ବେଳେ ଚେନ୍ନାଇର ୧.୧୧, କୋଲକାତାର ୧.୦୪ ଓ ବେଙ୍ଗାଲୁରୁର ୧.୦୬ ରହିଛି। ପ୍ରଜନନ ସଂଖ୍ୟା ଅର୍ଥାତ ‘ଆର’ ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି କେତେଜଣଙ୍କୁ ସଂକ୍ରମଣ କରେ ତାର ସଂଖ୍ୟା ଦର୍ଶାଇଥାଏ। ଅର୍ଥାତ ଏହି ଭୂତାଣୁ କେତେ ସହଜରେ ବ୍ୟାପି ପାରୁଛି। ତେବେ ଭୂତାଣୁର ବ୍ୟାପ୍ତି ଏବେ କ୍ରମଶଃ ଦୁର୍ବଳ ହୋଇଥିବା ଏହା ଦର୍ଶାଉଛି।