Breaking PLUSଓଡ଼ିଶାମୁଖ୍ୟ ଖବର

ୱେବିନାର ମାଧ୍ୟମରେ ପାଳିତ ହେଲା ରାଜ୍ୟସ୍ତରୀୟ ୬୭ତମ ନିଖିଳ ଭାରତ ସମବାୟ ସପ୍ତାହ, ଯୋଗଦେଲେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ମହାମାରୀ କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟରେ ସମବାୟ ସଂସ୍ଥାଗୁଡ଼ିକ ଖାଦ୍ୟ ସୁରକ୍ଷା ଓ ଫସଲ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିପାରିଛି । ଲୋକମାନଙ୍କ ଖାଦ୍ୟ ନିରାପତ୍ତା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବା ପରିପ୍ରେକ୍ଷୀରେ କୋଭିଡ୍‌-୧୯ ସ୍ଥିତିରେ ସମବାୟ ସଂସ୍ଥାଗୁଡ଼ିକ କୃଷକମାନଙ୍କୁ ବିହନ, ସାର ଓ ଫସଲ ଋଣ ଆଦି ସହଜରେ ଉପଲବ୍ଧ କରାଇ ଚାଷକାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହୋଇଥିଲା

ମହାମାରୀ କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟରେ ସମବାୟ ସଂସ୍ଥାଗୁଡ଼ିକ ଖାଦ୍ୟ ସୁରକ୍ଷା ଓ ଫସଲ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିପାରିଛି । ଲୋକମାନଙ୍କ ଖାଦ୍ୟ ନିରାପତ୍ତା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବା ପରିପ୍ରେକ୍ଷୀରେ କୋଭିଡ୍‌-୧୯ ସ୍ଥିତିରେ ସମବାୟ ସଂସ୍ଥାଗୁଡ଼ିକ କୃଷକମାନଙ୍କୁ ବିହନ, ସାର ଓ ଫସଲ ଋଣ ଆଦି ସହଜରେ ଉପଲବ୍ଧ କରାଇ ଚାଷକାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହୋଇଥିଲା । ଲକ୍‌ଡାଉନ୍‌ ସମୟରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ପ୍ୟାକ୍ସ/ଲ୍ୟାମ୍ପସ୍‌ ଦ୍ୱାରା ରେକର୍ଡ ପରିମାଣର ରବିଧାନ ଓ ମାର୍କଫେଡ୍‌ ଦ୍ୱାରା ଡାଲି ଓ ତୈଳବୀଜ ସଂଗ୍ରହ କୃଷକମାନଙ୍କ ଆୟକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥିଲା ବୋଲି ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ୬୭ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯାଉଥିବାବେଳେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଉତ୍ସବ ଅବସରରେ ଆଜି ଆୟୋଜିତ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଓଡ଼ିଶାର ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟାଙ୍କ ଜୀବନଜୀବିକା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ଏବଂ କୃଷିକ୍ଷେତ୍ର ସହିତ ସମବାୟ ବିଭାଗ ଓତଃପ୍ରୋତ ଭାବରେ ଜଡ଼ିତ । କୋଭିଡ୍‌-୧୯ ସ୍ଥିତିରେ କେବଳ କୃଷି କ୍ଷେତ୍ରକୁ ଛାଡ଼ି ଆଉ ପ୍ରାୟ ସବୁକ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ କୃଷି ଉତ୍ପାଦନ ବାଧାପ୍ରାପ୍ତ ହୋଇନଥିଲା । ରାଜ୍ୟ ତଥା ଦେଶର ଅର୍ଥନୀତିର ବିକାଶ କ୍ଷେତ୍ରରେ ସମବାୟର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାବେଳେ ଅଧିକରୁ ଅଧିକ ଲୋକଙ୍କୁ ସମବାୟ ଆନ୍ଦୋଳନ ସହ ଜଡ଼ିତ କରିବା ଉପରେ ନିଷ୍ଠାପର ଉଦ୍ୟମ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ । ଓଡ଼ିଶାରେ ସମବାୟର ଇତିହାସ ବହୁ ପୁରୁଣା । ପ୍ରଯୁକ୍ତି ବିଦ୍ୟାର ସଫଳ ପ୍ରୟୋଗ ଫଳରେ ସମବାୟକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ଆଜିର ୱେବିନାରରେ ଭାଗନେଇଥିବା ରିସୋର୍ସ ପର୍ସନ ଏବଂ ବକ୍ତାମାନେ ଦେଇଥିବା ସୁଚିନ୍ତିତ ମତାମତକୁ ତର୍ଜମା କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳଗୌରବ ମଧୁସୂଦନ ଦାସ, ରାୟ ବାହାଦୁର ବିଦ୍ୟାଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ୱେବିନାରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାଶ ସମ୍ମାନିତ ଅତିଥି ଏବଂ ନିବନ୍ଧକ, ସମବାୟ ସମିତି ସମୂହ ଶ୍ରୀ ସୁଶାନ୍ତ କୁମାର ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ କୋଭିଡ୍‌-୧୯ ସ୍ଥିତିରେ ସମବାୟର ଭୂମିକା ଏବଂ ଉପଯୋଗିତା ସଂପର୍କରେ ଆଲୋଚନା କରିଥିବାବେଳେ ରିସୋର୍ସ ପର୍ସନ ଭାବରେ ଇର୍‌ମା, ଆନନ୍ଦ ଗୁଜୁରାଟର ପ୍ରଫେସର ହରେକୃଷ୍ଣ ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ଓ ଏମ୍‌ବିଏ ବିଭାଗର ପ୍ରଫେସର ଡ. ତୁଷାର କାନ୍ତି ପାଣି, ଆଇସିଏମ୍‌ ଗୌହାଟୀର ନିର୍ଦ୍ଦେଶକ ଡ. ସମରେନ୍ଦ୍ର ସିଂହ, ଏମ୍‌ୟୁସିଏମ୍‌, ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ କୁମାର ଘୋଷ ପ୍ରମୁଖ ଯୋଗଦେଇ ଅର୍ଥନୀତି ଓ ସାଂପ୍ରତିକ ସ୍ଥିତିରେ ସମବାୟରେ ଭୂମିକା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।

ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ର ପ୍ରଶାସକ ଡ. କୁଳମଣି ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୱେବିନାର ଅନୁଷ୍ଠିତ ହୋଇଥିବାବେଳେ ସଂପାଦକ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ର ସଂପାଦକ ଶ୍ରୀ ବ୍ରହ୍ମାନନ୍ଦ ପରିଡ଼ା ଏହାକୁ ପରିଚାଳନା କରିଥିଲେ । ଶେଷରେ ଶ୍ରୀମତୀ ଚିନ୍ମୟୀ ଚାରୁଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Show More

Related Articles

Back to top button