ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଅମିତ ଶାହଙ୍କ ୨୦୦୨ ଗୁଜରାଟ ବୟାନକୁ ନେଇ ବିବାଦ: ଏହାକୁ କାଉଣ୍ଟର କରି ବର୍ଷିଛନ୍ତି ଅସାଦୁଦ୍ଦିନ ଓୱେସୀ

ଅହମଦାବାଦ: ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହଙ୍କ ୨୦୦୨ ଗୁଜରାଟ ବୟାନକୁ ନେଇ ଦେଖାଦେଇଛି ବିବାଦ । ୨୦୦୨ରେ ବିଜେପି ଦଙ୍ଗାକାରୀମାନଙ୍କୁ ଉଚିତ ଶିକ୍ଷା ଦେଇଥିବାରୁ ଗୁଜରାଟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇଛି ବୋଲି ଅମିତ ଶାହ କହିଥିଲେ। ତେବେ ଶାହଙ୍କ ଏପରି ବୟାନକୁ କାଉଣ୍ଟର କରିଛନ୍ତି ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ସେ କହିଛନ୍ତି, ଉଚିତ ଶିକ୍ଷାର ଅର୍ଥ ଅପରାଧୀମାନଙ୍କୁ ଖୋଲା ଛାଡ଼ିଦେବା? ଏହା ହିଁ ଅମିତି ଶାହଙ୍କ ଲେସନ ବା ଶିକ୍ଷା ବୋଲି ଓୱେସୀ କହିଛନ୍ତି।

ଗୁଜରାଟର ମୁସଲିମ ବହୁଳ ଜୁହାପୁରାରେ ଆୟୋଜିତ ଗୋଟିଏ ରାଲିରେ ଓୱେସୀ କହିଛନ୍ତି, “ଅମିତ ଶାହ ଆଜି(ଶୁକ୍ରବାର) ଗୋଟିଏ ରାଲି ବେଳେ ସର୍ବସମ୍ମୁଖରେ କହିଛନ୍ତି ଯେ ସେମାନେ ୨୦୦୨ରେ ଗୁଜରାଟରେ ଦଙ୍ଗାକାରୀଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ଓ ବିଜେପି ରାଜ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିଛି।

ମୁଁ କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ(ଅହମଦାବାଦ)ର ସାଂସଦଙ୍କୁ କହିବାକୁ ଚାହୁଁଛି ଯେ, ଅମିତ ଶାହ ଯେଉଁ ୨୦୦୨ ମସିହାର ଉଚିତ ଶିକ୍ଷା କଥା କହୁଛନ୍ତି ତା’ ଥିଲା ବିଲ କିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରିବା। ବିଲ୍‌କିସଙ୍କ ୩ ବର୍ଷୀୟ ପିଲାର ହତ୍ୟାକାରୀଙ୍କୁ ଛାଡ଼ିବା। ଏହସାନ ଜାଫ୍ରୀଙ୍କୁ ମଧ୍ୟ ହତ୍ୟା କରାଯାଇ ପାରେ ବୋଲି ଆପଣ ଆମକୁ ଶିଖାଇଛନ୍ତି।”

ଓୱେସୀ ତାଙ୍କ ବିସ୍ଫୋରକ ଭାଷଣରେ ଗୁଲବର୍ଗ ସୋସାଇଟ ନରସଂହାର ଓ ୨୦୦୨ ଦଙ୍ଗା ବେଳେ ବେଷ୍ଟ ବେକରୀ ଜାଳି ଦିଆଯିବା କଥା ମଧ୍ୟ ଉଠାଇଛନ୍ତି।

ସେ କହିଛନ୍ତି, “ଆପଣଙ୍କର ଆଉ କେତେ ଶିକ୍ଷା ଆମେ ମନେ ପକାଇବୁ ଅମିତ ଶାହ? କିନ୍ତୁ ମନେରଖନ୍ତୁ, ଶିକ୍ଷା ଦେବାର କିଛି ମୂଲ୍ୟ ନଥାଏ। ଅନ୍ୟାୟ ହୋଇଥିବା ଲୋକଙ୍କୁ ନ୍ୟାୟ ଦେଇପାରିଲେ ଶାନ୍ତି ପ୍ରତିଷ୍ଠା ଅଧିକ ସଶକ୍ତ ହୋଇଥାଏ। କ୍ଷମତା କେବେ ହେଲେ ଜଣଙ୍କ ପାଖରେ ରହି ନଥାଏ।

ଗୋଟିଏ ଦିନ ସମସ୍ତଙ୍କ ହାତରୁ କ୍ଷମତା ଚାଲିଯିବ। କ୍ଷମତା ନିଶାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଆଜି ଉଚିତ ଶିକ୍ଷା ଦିଆଯାଇଥିବା କଥା କହୁଛନ୍ତି। ଆପଣ କେଉଁ ଶିକ୍ଷା ଦେଇଛନ୍ତି? ଆପଣ ଏବେ ପୂରା ଦେଶରେ ଆପଣ ନିଜର ଅଂହକାର ପାଇଁ ପରିଚିତ। ଦିଲ୍ଲୀରେ ଦେଖାଯାଇଥିବା ଦଙ୍ଗା ବେଳେ ଆପଣ କେଉଁ ପ୍ରକାରର ଶିକ୍ଷା ଦେଇଥିଲେ। ୨୦୦୨ରେ ଆପଣ କି ପ୍ରକାରର ଶିକ୍ଷା ଦେଇଥିଲେ? ନରୋଦା ପଟିୟାର ଶିକ୍ଷା? ଗୁଲବର୍ଗର ଶିକ୍ଷା? ବେଷ୍ଟ ବେକରୀର ଶିକ୍ଷା ନା ବିଲକିସ ବାନୋଙ୍କ ଶିକ୍ଷା?

ଗୁଜରାଟ ବିଧାନସଭା ନିର୍ବାଚନରେ ଓୱେସୀଙ୍କ ଦଳ ୧୪ ଜଣଙ୍କୁ ପ୍ରାର୍ଥୀ କରିଛି। ଏଥିପାଇଁ ଓୱେସୀ ପ୍ରଚାର ପାଇଁ ଯାଇଛନ୍ତି।

 

Show More

Related Articles

Back to top button