ବିଳମ୍ବ ହୋଇପାରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
ଅଗଷ୍ଟ ୨୮ରେ ଚୂଡ଼ାନ୍ତ ନିଷ୍ପତ୍ତି

କଂଗ୍ରେସରେ ଦଳପତି ବାଛିବା ନେଇ ଏବେ ବି ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆହୁରି ବିଳମ୍ବ ହୋଇପାରେ। ଅଗଷ୍ଟ ୨୮ ତାରିଖରେ ହେବାକୁ ଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି। ରବିବାର ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷ ନିର୍ବାଚନ ନେଇ ଚୂଡ଼ାନ୍ତ ତାରିଖ ଉପରେ ନିଷ୍ପତ୍ତି ନିଆଯାଇପାରେ। ଏହାପୂର୍ବରୁ ନିର୍ବାଚନ ପାଇଁ ଅଗଷ୍ଟ ୨୧ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସେପ୍ଟେମ୍ବର ୨୦ ପରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଥାନ୍ତେ। ହେଲେ ଏହି ପକ୍ରିୟା ଆଉ କିଛି ସପ୍ତାହ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷତା କରିବେ। ତାଙ୍କ ସହ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୈଠକରେ ଯୋଗ ଦେଇ ସୋନିଆଙ୍କୁ ସହଯୋଗ କରିବେ।
ଏହାରି ଭିତରେ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ କରିବା ପାଇଁ ଦଳର ନେତାମାନଙ୍କୁ ମନାଇବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଅଧ୍ୟକ୍ଷ ପଦ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ୨୦୧୯ ନିର୍ବାଚନ କଂଗ୍ରେସ ଦ୍ୱିତୀୟ ତର ପାଇଁ ହାରିବା ପରେ ପରାଜୟରେ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ। ଏହାପରେ ସୋନିଆ ଦାୟିତ୍ୱ ନେଇଥିଲେ। କିନ୍ତୁ ଦଳରେ ଜି୦୨୩ ନେତାଙ୍କର ବିଦ୍ରୋହ ପରେ ସେ ମଧ୍ୟକ ଅଗଷ୍ଟ ୨୦ ତାରଖରେ ଇସ୍ତଫା ପତ୍ର ଦେବାକୁ ରାଜି ହୋଇଯାଇଥିଲେ। ତେବେ ସିଡବ୍ଲୁସି ତାଙ୍କୁ ପଦରେ ରହିବାକୁ ଅନୁରୋଧ କରିଥିଲା।