Breaking PLUSଓଡ଼ିଶାମୁଖ୍ୟ ଖବର

ଆଗକୁ ଆଉ ଏକ ଲଘୁଚାପ

ଅକ୍ଟୋବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସଙ୍କ ସୂଚନା ମୁତାବକ, ଆସନ୍ତା ୯ ତାରିଖ ଆଡ଼କୁ ଥାଇଲାଣ୍ଡ ଉପକୂଳ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଅଧିକ ଶକ୍ତିଶାଳୀ ‌ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହି କ୍ଷେତ୍ର ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ସଂଲଗ୍ନ କେନ୍ଦ୍ରୀୟ ବ‌ଙ୍ଗୋପସାଗର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ହେଲେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆସନ୍ତା ୩/୪ ଦିନ ଭିତରେ ସ୍ପଷ୍ଟ ଭାବେ କହିହେବ ବୋଲି କହିଛନ୍ତି ଶ୍ରୀ ବିଶ୍ବାସ। କିନ୍ତୁ ଏହାର ପ୍ରଭାବରେ ଅକ୍ଟୋବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଗୋ‌ଟିଏ ଲଘୁଚାପ ପ୍ରଭାବରେ ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ଶେଷ ବେଳକୁ ଆସିପାରେ ସାମୁଦ୍ରିକ ବାତ୍ୟା ‘ଗତି’। ହେଲେ ଏହା କେବେ ବଳଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଓଡ଼ିଶାରେ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ନ ଥିବାରୁ ଏହା ‘ବାତ୍ୟା’ରେ ପରିଣତ ହୋଇପାରିବ ନାହିଁ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ଲଘୁଚାପ ସୃଷ୍ଟି ହେଲା ପରେ ହିଁ ଏ ନେଇ ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୮ ତାରିଖ ଆଡ଼କୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୯ ତାରିଖ ଆଡ଼କୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଲଘୁଚାପଟି ଆଣ୍ଡାମାନ ସାଗ‌ରରେ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ସମୁଦ୍ର‌ରେ ଦୁଇ ଦିନ ରହିବ। ଏଠାରେ ଏହା ଅଧିକ ବଳ ଗୋଟାଇବା ସହ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାପରେ ଏହା ସାମାନ୍ୟ ଗତି ବଦଳାଇ ଉତ୍ତର ପଶ୍ଚିମ-ପଶ୍ଚିମ ଦିଗରେ ଗତି କରିବ। ଫଳରେ ଏହା ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବ। ଫଳରେ ପ୍ରଥତଃ ଏହା ଓଡ଼ିଶାକୁ ସିଧା ମାଡ଼ ‌ହେବାର ସମ୍ଭାବନା କମ୍‌ ରହିଛି।

ସମ୍ଭବତଃ ଏହା ବିଶାଖାପାଟଣା ପାଖାପାଖି ଆନ୍ଧ୍ର ଉତ୍ତର ଉପକୂଳକୁ ପହଞ୍ଚିବାର ଅଧିକ ସମ୍ଭାବନା ରହିଛି। ଦ୍ବିତୀୟତଃ ବାତ୍ୟା ସୃଷ୍ଟି ପାଇଁ ଏବେ ପରିବେଶ ଅନୁକୂଳ ନଥିବାରୁ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା‌ ହେବାର ସମ୍ଭାବନା ନାହିଁ। ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏ ନେଇ ଅଧିକ ସ୍ପଷ୍ଟ କହିହେବ। ଯଦି କୌଣସି ପରିସ୍ଥିତିରେ ଏହା ବାତ୍ୟାର ରୂପ ନେବ ତେବେ ଏହାର ନାମ ‘ଗତି’ ରହିବ ବୋଲି ଡ. ପଶୁପାଳକ କହିଛନ୍ତି। ବର୍ତ୍ତମାନ ଆକଳନରୁ ଜଣାପଡ଼ୁଛି ଯେ, ସ୍ଥଳ ଭାଗ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇଯିବ।

ଓଡ଼ିଶାରେ ୧୧ରୁ ୧୩ ପର୍ଯ୍ୟନ୍ତ ବର୍ଷା ହେବ। ସମସ୍ତ ଉପକୂଳ ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଯଥା ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ବର୍ଷାର ପରିମାଣ ଅଧିକ ରହିବ। ସାଧାରଣ ଭାବେ ମଧ୍ୟମ ଧରଣର ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଲଘୁଚାପ ପ୍ରଭାବରେ ୭ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଆସନ୍ତାକାଲି ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୁଳ ଓ କେନ୍ଦୁଝରର କେତେକ ସ୍ଥାନ‌ରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ୬ ତାରିଖ ଦିନ ‌କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ଦୁଇ ଦିନ ପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ କଟକ ଓ ଭୁବନେଶ୍ବରରେ ଏହି ଦୁଇ ଦିନ ବର୍ଷା ଲାଗି ରହିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି।

 

Show More

Related Articles

Back to top button