Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆସୁଛି ବଡ ବାତ୍ୟା

ବଙ୍ଗୋପସାଗରରେ ଗୋଟାଉଛି ବଳ !

ଗ୍ରୀଷ୍ମର ପହିଲି ତାଉ ଆରମ୍ଭ ହୋଇ ଯାଇଥିବାବେଳେ ଉଙ୍କି ମାରିଲାଣି ବାତ୍ୟା ଆଶଙ୍କା । ଆସନ୍ତା ୨୨ ତାରିଖବେଳକୁ ବଙ୍ଗୋପସାଗରରେ ବାତ୍ୟ ସୃଷ୍ଟି ପାଇଁ ଦାନା ବାନ୍ଧିବ । ଏମିତି ସମ୍ଭାବ୍ୟ ଚିତ୍ର ଦେଖାଇଛନ୍ତି ବିଭିନ୍ନ ପାଣିପାଗ ମଡେଲ୍‌ । ଏହାର ତୀବ୍ରତା, ଗତିପଥ ନେଇ ଏବେଠାରୁ ଆକଳନ କରିହେବନି । ଲଘୁଚାପ ସୃଷ୍ଟି ହେବା ପରେ ସେତେବେଳର ଜଳବାୟୁ ସ୍ଥିତି ଅନୁଯାୟୀ ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଜଣାପଡ଼ିବ । ଏହା ପୂର୍ବ ଉପକୂଳକୁ ଗତି କରିବ କି ମିଆଁମାର ପଳାଇବ, ଏବେ କହିବା ମୁସ୍କିଲ । ତେବେ ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପାଗ ବଦଳିବା ସମ୍ଭାବନା ରହିଛି।ମାର୍ଚ୍ଚ ମାସରେ ବାତ୍ୟା କ୍ୱଚିତ ସୃଷ୍ଟି ହୋଇଥାଏ । ୧୯୦୧ରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମାର୍ଚ୍ଚ ମାସରେ ବଙ୍ଗୋପସାଗରରେ ୬ଟି ବାତ୍ୟା ସୃଷ୍ଟି ହୋଇଛି । ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜିଏଫଏସ, ଇସିଏମଡବ୍ଲୁଏଫ, ଆଇଏମଡି ଜିଏଫଏସ ମଡେଲ ଅନୁସାରେ ଆସନ୍ତା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହା କେତେ ଘନୀଭୂତ ହେବ? ଗତିପଥ କ’ଣ ରହିବ? କେଉଁଠାରେ ସ୍ଥଳଭାଗ ଛୁଇଁବ? ସେ ଦିଗରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ । ଏନ୍‌ସିଇପି ଜିଏଫଏସ ମଡେଲ୍‌ କହୁଛି, ଏହା ଦିଗ ବଦଳାଇ ବୁଲିଯିବା (ରିକର୍ଭ) ଯୋଗୁ ଭାରତୀୟ ଉପକୂଳକୁ ଛୁଇଁ ନପାରେ ।

କିନ୍ତୁ, ଜଳବାୟୁ ପରିବର୍ତ୍ତନରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତୀୟ ଉପକୂଳ ଛୁଇଁବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ । ଡକ୍ଟର ପଶୁପାଳକ କହିଛନ୍ତି, ଦକ୍ଷିଣ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ଜଳପତ୍ତନ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ୍‌ ରହୁଛି । ଏହା ସହିତ ପଶ୍ଚିମରୁ ପବନ ବହିବା ଓ ଗୁରୁଚାପ ସୃଷ୍ଟି ହେବା ଯୋଗୁ ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧିବା ପାଇଁ ଅନୁକୂଳ ବାତାବରଣ ଯୋଗାଉଛି । ଆଇଏମଡି ଆକଳନ ଅନୁସାରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ହେଲେ ଏହାର ସମ୍ଭାବ୍ୟ ଗତି ଉତ୍ତର ଦିଗରେ ରହିପାରେ, ଯାହାକି ମିଆଁମାର ଆଡ଼କୁ ଗତି କରିପାରେ । ଡକ୍ଟର ପଶୁପାଳକ ଦର୍ଶାଇଛନ୍ତି, ଜିଏଫ୍‌ଏସ୍‌ ଏନସିଇପି ମଡେଲର ପ୍ରାକ୍‌ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇପାରେ । ହେଲେ ବଙ୍ଗୋପସାଗରରେ ପହଞ୍ଚିଲାବେଳକୁ ଦୁର୍ବଳ ହୋଇସାରିଥିବ । ପୁଣି ଦିଗ ବୁଲାଇ ବାଂଲାଦେଶ ପୂର୍ବ ଉପକୂଳକୁ ଯାଇପାରେ । ଇସିଏମଡବ୍ଲୁଏଫ ଆକଳନ କହୁଛି, ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶାଠାରୁ ପ୍ରାୟ ୨୪୦ କିମି ଦୂରରେ ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ । ମାତ୍ର ସେତେବେଳକୁ ଏହା ଦୁର୍ବଳ ହୋଇ ଆଉ ବାତ୍ୟା ଅବସ୍ଥାରେ ନଥିବ । ଏସବୁ କେବଳ ପ୍ରାକ୍‌ ଆକଳନ । ଆସନ୍ତା ୨୦ ତାରିଖବେଳକୁ ସ୍ପଷ୍ଟ ଚିତ୍ର ମିଳିପାରେ । ତେବେ ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା କୌଣସି ବାତ୍ୟା ଭାରତ ଉପକୂଳରେ ପହଞ୍ଚିବା ନଜିର ନାହିଁ। ମାର୍ଚ୍ଚରେ ବାତ୍ୟା ସୃଷ୍ଟି ହେବା ଅସ୍ୱାଭାବିକ ପାଣିପାଗର ଲକ୍ଷଣ । ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଏବେ ରାଜ୍ୟରେ ଗରମ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା ୨/୩ ଦିନ ଭିତରେ ପାରଦ ୪୦ ଡିଗ୍ରୀ ଛୁଇଁଯିବ । ବଲାଙ୍ଗିର, ସୋନପୁର, ମାଲକାନଗିରି, ବୌଦ୍ଧ, ଅନୁଗୁଳ, ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣରେ ଗରମ ଜାରି ରହିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୬ ତାରିଖ ସୁଦ୍ଧା ଦିନ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ବଢ଼ିପାରେ । କେତେକ ଜାଗାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ୧୭ ତାରିଖବେଳକୁ ବଙ୍ଗୋପସାଗରୀୟ ପବନ ଯୋଗୁ ସର୍ବାଧିକ ତାପମାତ୍ରା ୪ ଡିଗ୍ରୀ କମିପାରେ । ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପୂରା ରାଜ୍ୟରେ ପଡ଼ିବନି । କେବଳ ୨୨ ତାରିଖବେଳକୁ ଉପକୂଳ ଓଡ଼ିଶାରେ ତାପମାତ୍ରା ଖସିପାରେ । ୨୨ ଓ ୨୩ରେ ସାମୁଦ୍ରିକ ପବନ ବହିବା ଯୋଗୁ ଗରମ କମିବ । ସୋମବାର ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ଟପିଛି । ଅନୁଗୁଳ ୩୮.୧ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଝାରସୁଗୁଡ଼ା ୩୮.୨, ବଲାଙ୍ଗିର ୩୮.୩, ଟିଟିଲାଗଡ଼ ୩୮ ଡିଗ୍ରୀ ଥିଲା । ବାଲେଶ୍ୱର, ବାରିପଦା, ସମ୍ବଲପୁର, ହୀରାକୁଦ, ତାଳଚେର, ସୋନପୁର, ଦାରିଙ୍ଗିବାଡ଼ି, ନୟାଗଡ଼, ବୌଦ୍ଧରେ ପାରଦ ୩୭ ଡିଗ୍ରୀ ଡେଇଁଛି । କଟକ, ଭୁବନେଶ୍ୱରରେ ତାତି ୩୬ ଡିଗ୍ରୀ ଉପରେ ଥିଲା ।

Show More

Related Articles

Back to top button