ଓଡ଼ିଶା

ଆସନ୍ତା ୯ତାରିଖରୁ ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆରମ୍ଭ

ଯୁକ୍ତ୩(ସ୍ନା‌ତକ) କଲେଜରେ ଖାଲି ଥିବା ସିଟ୍‌ ପୂରଣ ପାଇଁ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ

କେଉଁ କଲେଜରେ କେତେ ସିଟ୍‌ ଖାଲି ରହିଛି ସେନେଇ ଆସନ୍ତା ୯ ତାରିଖରେ ୱେବସାଇଟ୍‌ରେ ଉଲ୍ଲେଖ କରାଯିବ। ନଭେମ୍ବର ୧୦ରୁ ୧୩ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଉପଲବ୍ଧ ‘ଡ୍ରପ୍‌ ବକ୍ସ’ରେ ଆବେଦନପତ୍ର ପକାଇବେ। ସ୍ପଟ୍‌ ନାମଲେଖା ପାଇଁ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ସଂକ୍ଷିପ୍ତ ତାଲିକା ୧୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ନୋଟିସ୍‌ ବୋର୍ଡରେ ପ୍ରକାଶ କରିବେ। ୨୧ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ନଭେମ୍ବର ୨୩ରୁ ୨୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ ଏବଂ ତଥ୍ୟ ଉପଲବ୍ଧ କରାଯିବ।ତେବେ ‌କେଉଁମାନେ ଏହି ନାମଲେଖାରେ ଅଂଶଗ୍ରହଣ କରିପାରିବେ ସେନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ଯେଉଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ସିଏଏଫ୍‌(କମନ୍‌ ଆପ୍ଲିକେସନ ଫର୍ମ) ଦାଖଲ କରିଥିବେ, ହେଲେ ଫି’ ଦାଖଲ କରି ନ ଥିବେ, ସିଏଏଫ୍‌ ଓ ଫି’ ଦାଖଲ କରି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଚୟନ ହୋଇ ନାମ ଲେଖାଇ ନ ଥିବେ ସେମାନେ ଏହି ପ୍ରକ୍ରିୟାରେ ଭାଗ ନେଇପାରିବେ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖାଇଥିବେ ହେଲେ କଲେଜ କିମ୍ବା ବିଷୟ ‌ପରିବର୍ତନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ବି ଏହି ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ନୂଆ ‌ଆବେଦନକାରୀଙ୍କୁ ସୁଯୋଗ ମିଳିବ ନାହିଁ। ସ୍ପଟ୍‌ ନାମଲେଖା ଗାଇଡ୍‌ଲାଇନ୍‌ www.dheodisha.gov.inamsodisha.gov.in ୱେବସାଇଟ୍‌ରେ ଉପଲବ୍ଧ ହୋଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ୧ ଲକ୍ଷ ୧୬ ହଜାର ସିଟ୍‌ ଖାଲି ରହିଛି। ଉକ୍ତ ସିଟ୍‌ ପୂରଣ ଲାଗି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଜାରି ରହିଛି। ଯାହାକି ନଭେମ୍ବର ୩ ତଥା ମଙ୍ଗଳବାର ଶେଷ ହେବ।

Show More

Related Articles

Back to top button