କଲେଜରେ ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ଲାଗିଲା ବ୍ୟାନ୍

କଲେଜକୁ ସ୍ମାର୍ଟ ଫୋନ୍ ଆଣି ପାରିବେନି ଛାତ୍ରୀ । କଲେଜରେ ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ଲାଗିଲା ବ୍ୟାନ୍ । କେବଳ କି’ ପ୍ୟାଡ୍ ଥିବା ଫୋନ ଆଣିପାରିବେ । ତେବେ ଏଭଳି ନୂଆ ନିୟମ ଲାଗୁ ହୋଇଛି ସରକାରୀ ଅନୁଦାନ ପ୍ରାପ୍ତ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ । କଲେଜ ପକ୍ଷରୁ ଏଭଳି ଏକ ପାଖିଆ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନେଇ ଦେଖିବାକୁ ମିଳିଥିଲା ଛାତ୍ରୀ ଅଶାନ୍ତି । ଶତାଧିକ ଛାତ୍ରୀ କଲେଜରେ ସ୍ମାର୍ଟ ଫୋନ୍ ବ୍ୟବହାର ବ୍ୟାନ୍ ନିଷ୍ପତ୍ତିକୁ ପ୍ରତ୍ୟାହାର ନିମନ୍ତେ ଦାବି କରି କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେଇଥିଲେ। ହେଲେ କଲେଜ ଅଧ୍ୟକ୍ଷ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଛାତ୍ରୀମାନଙ୍କ ଉତ୍ତମ ଭବିଷ୍ୟତ ନିମନ୍ତେ ବ୍ୟାନ୍ ଉଠିବ ନାହିଁ ବୋଲି କରିଦେଇଛନ୍ତି। ତେଣୁ ଆଗକୁ ଛାତ୍ରୀମାନେ ଅନ୍ଦୋଳନ ଜୋରଦାର କରିବେ ବୋଲି କହିଛନ୍ତି।
ଗତ ଜୁଲାଇ ୩୦ ତାରିଖରୁ ଏଭଳି ନୂଆ ନିୟମ କଲେଜରେ ଲାଗିଛି। ଦୁଇଦିନ ହେବ କଲେଜ ଗେଟ୍ରେ ନୋଟିସ୍ ଲଗାଯାଇଛି। ନିଜେ କଲେଜର ଅଧ୍ୟକ୍ଷ ଅନ୍ୟ କର୍ମଚାରୀଙ୍କ ଉପପସ୍ଥିତିରେ କଲେଜ ଗେଟ ନିକଟରେ ଠିଆ ହୋଇ ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ନ ଆଣିବାକୁ ତାଗିଦ କରୁଛନ୍ତି। ସେମାନଙ୍କ ବ୍ୟାଗ୍ ଯାଞ୍ଚ କରୁଛନ୍ତି। ତେବେ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି ନିୟମ ଲାଗୁ କରାଯାଇନାହିଁ।
ସ୍ମାର୍ଟ ଓ ଡିଜିଟାଲ ଯୁଗରେ କଲେଜରେ ଏଭଳି ନିୟମ କରାଯିବା ଦ୍ୱାରା ଅନଲାଇନ୍ ଯୋଗେ ପାଠପଢ଼ୁଥିବା ପିଲାମାନେ ହଇରାଣ ହେବେ ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହା ଗରିବ ଓ ମଧ୍ୟବିତ ପରିବାରରୁ ଆସିଥିବା ଛାତ୍ରୀମାନଙ୍କୁ ଖର୍ଚ୍ଚାନ୍ତ କରାଇବ। ପୁନଶ୍ଚ ଟଙ୍କା ଖର୍ଚ୍ଚ କରି ମୋବାଇଲ କିଣିବା ପରେ ଦୁଇଟି ମୋବାଇଲ ବ୍ୟବହାର କରିବା ସେମାନଙ୍କ ନିମନ୍ତେ ଅସମ୍ଭବ ବୋଲି ଛାତ୍ରୀମାନେ ଦର୍ଶାଇଛନ୍ତି।