
ଭୁବନେଶ୍ଵର, ୨୬/୧୨ : ପୁଣି ବଢିଲା କରୋନା ଭୟ। କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଅପରାହ୍ନ ସାଢେ ୪ ଟାରେ ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିବେ। ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ। ଏହା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ମେଡିକାଲ୍ କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ। ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ଆଉ ୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଭୟ ବଢିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କେହି ମେଡିକାଲରେ ଭର୍ତ୍ତି ହୋଇନାହାନ୍ତି । ସମସ୍ତେ ଓମିକ୍ରନ ସବ୍ ଭ୍ୟାରିଆଣ୍ଟ୍ ବିଏ.୨ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଦୁଇଟି ଟିକା ନେବା ପରେ ଲୋକଙ୍କ ଭିତରେ ହାଇବ୍ରିଡ ଇମ୍ୟୁନିଟି ସୃଷ୍ଟି ହୋଇଛି । ସଚେତନତା ବି ବଢ଼ିଛି । ରାଜ୍ୟରେ ପ୍ରତି ଜିଲ୍ଲା ହସପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । କୋଭିଡର ଆଉ ଏକ ଲହର ଆସିଲେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଆବଶ୍ୟକ ଔଷଧ ମଧ୍ୟ ମହଜୁଦ ରହିଛି ବୋଲି ସେ କହିଛନ୍ତି ।