Breaking PLUSଓଡ଼ିଶାମୁଖ୍ୟ ଖବର

ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫୨ଟି ବସ୍ ଜିଲ୍ଲାର ସମସ୍ତ ୧୮୨ଟି ପଂଚାୟତକୁ ଯୋଡିବ

ଭୁବନେଶ୍ୱର, 25 ନଭେମ୍ବର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚାଲିବ ଏବଂ ସବୁ ପଂଚାୟତକୁ ବସ୍ ଯିବ । ଜିଲ୍ଲାର ସମସ୍ତ ୧୮୨ଟି ପଂଚାୟତକୁ ବସ୍ ଚଳାଚଳ ହେବ । ଏଥିପାଇଁ ୩୦୦ଟି ବସ୍ ଷ୍ଟପେଜ ମଧ୍ୟ କରାଯାଇଛି ।

ଅନ୍ ଲାଇନ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ । ଏହା ଆମର ଗ୍ରାମାଂଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ବୋଲି ସେ କହିଥିଲେ । ମୋ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସଂପର୍କରେ ମୁଁ ଜାଣିଲି । ତା ପରେ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ଯୋଜନା ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲକ୍ଷ୍ମୀ ବସ୍ ଗାଁକୁ ଗାଁ ସହିତ ଯୋଡିବ । ସାମାଜିକ ସଂପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ ।
କାର୍ଯ୍ୟକ୍ରମରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାୟଗଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି । ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତିଭୂମିର ଉନ୍ନତିକରଣ କରାଯାଉଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଂଚାୟତ ଗୁଡିକ ହେଉଛି ମୋ ସରକାରର ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ । ସବୁ ପଂଚାୟତରେ ରୂପାନ୍ତର ଆଣି ସାରା ଓଡିଶାର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ କହିଲେ ଯେ ମାର୍ଗଶିର ମାସ ଲକ୍ଷ୍ମୀ ମାସରେ ମୁଖ୍ୟମନ୍ତ୍ରୀ ରାୟଗଡ଼ାରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରି ଘରେ ଘରେ ଲକ୍ଷ୍ମୀ ପହଂଚାଇଛନ୍ତି । ଆଜି ଓଡ଼ିଶାରେ ନାରୀ ମାନେ ସବୁ କ୍ଷେତ୍ରରେ ଆଗରେ ରହୁଛନ୍ତି । ଘରୁ ବିଭିନ୍ନ କାମରେ ବାହାରକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆଜି ଓଡ଼ିଶାରେ ନାରୀ ସଶକ୍ତିକରଣ ହୋଇବପାରିଛି ବୋଲି ପ୍ରକାଶ କରି ସେ ଧନ୍ୟବାଦ୍ ଦେଇଥିଲେ ।
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ ଲକ୍ଷ୍ମୀ ବସ ଯୋଗୁ ଚାଷୀ, ବ୍ୟବସାୟୀ ଓ ମା ମାନେ ଉପକୃତ ହେବେ । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଜିଲ୍ଲା ଗସ୍ତ କରିଥିଲେ । ରାୟଗଡ଼ାରେ ମଧ୍ୟ ଲୋକଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଜଣାଇବା ପରେ ଜିଲ୍ଲାରେ ଅନେକ ମଠ ମନ୍ଦିର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁମୋଦନ ଦେଇଥିଲେ । ଲୋକଙ୍କ ମତକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଗୁଣୁପୁର ବିଧାୟକ ରଘୁନାଥ ଗମଙ୍ଗୋ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗ ଦେଇ କହିଥିଲେ ଓଡ଼ିଶାର ବିକାଶ ପାଇଁ, ରାଜ୍ୟର ଗରିବ, ଆଦିବାସୀ ଓ ମହିଳା ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସାରା ଜୀବନ ସମର୍ପିତ କରିଚନ୍ତି । ଆଜି ଆମ ଘର ମାନଙ୍କୁ ଲକ୍ଷ୍ମୀ ଆସୁଛନ୍ତି । ଆମେ ସମସ୍ତେ ଖୁସି । ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସରସ୍ୱତୀ ମାଝୀ କହିଥିଲେ ଯେ ଏହାଦ୍ୱାରା ଗରିବ, ଆଦିବାସୀ ଓ ମହିଳା ମାନେ ବହୁତ୍ ଉପକାର ପାଇବେ ।
ରାୟଗଡ଼ା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନସୂୟା ମାଝୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କ ପଂଚମ ପାଳିରେ ମା ମାନଙ୍କୁ ପାଂଚଟି ଗୁରୁତ୍ୱପୂର୍ଣ୍ଣ ଭେଟି ଦେଇଛନ୍ତି । ୫ ଟଙ୍କାରେ ଆହାର, ବିଜୁ ସ୍ୱାସ୍ଥ୍ୟରେ ଆଉ ୫ ଲକ୍ଷ, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମମତାରେ ୫ ହଜାର ଟଙ୍କା ସହିତ ଏବେ ଲକ୍ଷ୍ମୀ ବସରେ ମା ମାନଙ୍କ ପାଇଁ ମାତ୍ର ୫ ଟଙ୍କାରେ ଯିବାର ସୁବିଧା ମାନଙ୍କୁ ସଶକ୍ତ କରିଛି ।

Show More

Related Articles

Back to top button