ଓଡ଼ିଶାମୁଖ୍ୟ ଖବର

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତଙ୍କ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ଘଟଣାରେ ଆଜି ଜଗତପୁର ଥାନା ପୁଲିସ୍ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଦରଘାବଜାର ଥାନା ଅଞ୍ଚଳର ୨୬ ବର୍ଷୀୟ ଦିବ୍ୟରଞ୍ଜନ ବେହେରା ଓ ଦୋଳମୁଣ୍ଡାଇ ପିଠାପୁର ରୋଡ ଅଞ୍ଚଳର ୨୦ ବର୍ଷୀୟ କୌଶଲ ପ୍ରଧାନ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏସିପି ଜୋନ୍ ୱାନ୍ ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ଅନୁଯାୟୀ, ମୃତ ତୁଷାରକାନ୍ତ ଓ ତାଙ୍କ କଲେଜର ଜଣେ ଯୁବତୀଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ଏହାଛଡ଼ା ଦୁହିଁଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା । ସେହି କାରଣ ଯୋଗୁଁ ଯୁବତୀ ଓ ତା’ର ବଡ଼ ଭଉଣୀର ବୟଫ୍ରେଣ୍ଡ ଓ ଜଣେ ଧରମ ଭାଇ ଦୁଇ-ତିନି ମାସ ଧରି ଲଗାତର ମୃତ ତୁଷାରକୁ ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ସେମାନେ ତୁଷାର ଉପରେ ବିଭିନ୍ନ ପ୍ରକାରର ଚାପ ପକାଉଥିଲେ । ତୁଷାର ବିରୋଧରେ ମିଛ ଏଫଆଇଆର୍ ଦେବା ପାଇଁ ମଧ୍ୟ ତାକୁ ଧମକ ଦେଉଥିଲେ । ଅଗଷ୍ଟ ୩ ତାରିଖରେ ଇନଡୋର୍ ଷ୍ଟାଡିୟମରେ ଅଭିଯୁକ୍ତ ଦିବ୍ୟରଞ୍ଜନ ତୁଷାରକାନ୍ତଙ୍କୁ ମାରପିଟ୍ କରିଥିଲା । ଯାହା ପରେ ତୁଷାରକାନ୍ତ ମାନସିକସ୍ତରରେ ଚାପଗ୍ରସ୍ତ ହୋଇଥିଲା । ଆଉ ଏହି ୪ଜଣଙ୍କ ଦ୍ୱାରା ଦିଆଯାଉଥିବା ମାନସିକ ନିର୍ଯାତନା ପାଇଁ ତୁଷାରକାନ୍ତ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲା । ତେବେ ଏହି ଚାରିଜଣ ତାକୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ । ଯେଉଁ ଆଧାରରେ ପୁଲିସ୍ ଦିବ୍ୟରଞ୍ଜନ ଓ କୌଶଲ ପ୍ରଧାନକୁ ଗିରଫ କରିଛି । ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ତା’ ଛଡ଼ା ତୁଷାରକାନ୍ତ ହତ୍ୟା ମାମଲାରେ ଆଉ ଯେଉଁମାନଙ୍କର ହାତ ଥିବ, ସେମାନଙ୍କୁ ଆଗାମୀ ଦିନରେ ତଦନ୍ତ ପରିସରକୁ ନିଆଯିବ ବୋଲି ଏସିପି ଜୋନ୍ ୱାନ୍ ଅମରେନ୍ଦ୍ର ପଣ୍ଡା କହିଛନ୍ତି ।

ଅଗଷ୍ଟ ୩ ତାରିଖରେ ତୁଷାର ବାଇକ୍ ନେଇ ଘରୁ କେଉଁଆଡ଼େ ବାହାରି ଯାଇଥିଲେ । ଆଉ ସେହି ଦିନ ଠାରୁ ସେ ଘରକୁ ଫେରିନଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇ ନଥିଲେ । ଏହା ପରେ ସେମାନେ କ୍ୟାଣ୍ଟେନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ପୁଅର ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଅଗଷ୍ଟ ୫ ତାରିଖରେ ଯୋବ୍ରା ବ୍ୟାରେଜରୁ ତୁଷାରକାନ୍ତଙ୍କ ମୃତଦେହ ମିଳିଥିଲା । ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ତେବେ ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ୍ସ ବୟଫ୍ରେଣ୍ଡ ହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । କାରଣ ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ୍ସ ବୟଫ୍ରେଣ୍ଡ ଅପହରଣ କରିଥିବା ନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା ।

Show More

Related Articles

Back to top button