Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ- ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେଶିଂ ଜରିଆରେ ପୁରୀରେ ହବିଷ୍ୟାଳୀ ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଷ୍ୟାଳୀ ମାନେ ଏକତ୍ରିତ ହୋଇଛନ୍ତି।

ବ୍ରତ ପାଇଁ ହବିଷ୍ୟାଳୀ ମା ମାନଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଭଲରେ ବ୍ରତ କରନ୍ତୁ, ଶାନ୍ତିରେ ବ୍ରତ କରନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ । ଆପଣମାନେ ଆଶୀର୍ବାଦ ପାଇଲେ, ସାରା ଓଡିଶାକୁ ଆଶୀର୍ବାଦ ମିଳିବ ବୋଲି ସେ କହିଥିଲେ।

କାର୍ତ୍ତିକ ମାସ ଧର୍ମ ମାସ, ବହୁତ ପବିତ୍ର ବୋଲି ମତ ଦେଇ ସେ କହିଲେ ଯେ ଏ ମାସରେ ମା ମାନେ ଆନନ୍ଦରେ ବ୍ରତ ପାଳନ କରିବେ ବୋଲି ତାଙ୍କର ପୁରା ବିଶ୍ୱାସ।
ମା ମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୩୦୦୦ରୁ ଅଧିକ ମା’ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରହିବା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ – ସବୁ ବ୍ୟବସ୍ଥା ହୋଇଛି । ଆପଣମାନଙ୍କ ସେବା ପାଇଁ ଜିଲ୍ଲାପ୍ରଶାସନ ପୁରା ପ୍ରସ୍ତୁତ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିରୁ ଆଜି ମା ମାନଙ୍କ ପାଇଁ ସବୁ ସୁବିଧା ହୋଇ ପାରିଛି। ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଛାସେବୀ ସମସ୍ତେ ସହଯୋଗ ଯୋଗାଇ ଦେଉଛନ୍ତି।

କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା କହିଲେ ଯେ ମହିଳା କଲ୍ୟାଣକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଯୋଗୁ ଓଡ଼ିଶା ଆଜି ନାରୀ ଶକ୍ତିର ବିକାଶରେ ଅଗ୍ରଣୀ।

ଏହି କାର୍ଯ୍ୟକ୍ରମରେ କଟକର ଅହଲ୍ୟା ଆଚାର୍ଯ୍ୟ, ନବରଙ୍ଗପୁରର ପାର୍ବତୀ ହରିଜନ ଓ ଗଞ୍ଜାମର ରାଧା ଦେବୀ ପଣ୍ଡା ପ୍ରମୁଖ ହବିଷ୍ୟାଳୀ ମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଲେ ଯେ ପୂର୍ବରୁ କାର୍ତ୍ତିକ ବ୍ରତ ପାଇଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଖାଇବା, ଯିବା ଆସିବା, ଭଜନ କୀର୍ତ୍ତନ ସବୁ ସୁବିଧା କରିଛନ୍ତି । ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସେମାନେ କାମନା କରିଥିଲେ।

5

Show More

Related Articles

Back to top button