ବିଶ୍ୱ ଐତିହ୍ୟ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୫୦ବର୍ଷରେ ବିଶ୍ୱ ଐତିହ୍ୟ ଧଉଳି ଶାନ୍ତିସ୍ତୂପ । ଆଜି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ । ସଜେଇ ହୋଇଛି ଧଉଳି । ପାଳନ ହେଉଛି ଉତ୍ସବ । ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୁବ ଶୀଘ୍ର ଧଉଳି ସ୍ତୂପରେ ରୋପୱେର ବ୍ୟବସ୍ଥା ହେବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏହି ଉତ୍ସବରେ ଜାପାନ, ଆମେରିକା, ୟୁକ୍ରେନ ଓ କାଜାକସ୍ଥାନରୁ ବହୁ ସନ୍ଥ ସାମିଲ ହୋଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ସାମିଲ ହୋଇ ସମସ୍ତେ ଖୁସି ବ୍ୟକ୍ତ କରିବା ସହ ଧଉଳିର ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ଆଜିଠୁ ଧଉଳିରେ ପୁଣି ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ପ୍ରାୟ ଦୁଇ କୋଟି ଟଙ୍କା ଅନୁଦାନରେ ଏହାର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି ।