Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଇଟି ୱେବ୍‌ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ଦୁଇଟି ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କୌଣସି ସରକାରୀ କାର୍ଯ୍ୟାଳୟକୁ ନଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ୱାଧୀନତା ଲୋକଙ୍କୁ ଦିଆଯାଇପାରିଛି । ଏହି ନୂତନ ପୋର୍ଟାଲ ଦ୍ୱାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଟେକ୍‌ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର । ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ୱାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି ।

ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ-ଲାଇନ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିଛି ।

ସେହିପରି ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଥିରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍‌, ଡିକ୍‌ସିନାରୀ ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର ଆଦି ଓଡିଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ଓଡ଼ିଶା ସହ ଯୋଡି ରଖିବାରେ ସଫଳ ହେବ ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି । ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ସ୍ୱାଗତ ଭାଷଣ ଦେଇଛନ୍ତି । ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଜିଲ୍ଲାପାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Show More

Related Articles

Back to top button