ଆଇପିଏଲ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ
ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ରେ ଆଜି ଶୁକ୍ରବାର ଦିନ ମୁହାଁମୁହିଁ ହେବେ ଆଇପିଏଲ ଇତିହାସର ଦୁଇ ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ । ମୁମ୍ବଇ ଇଣ୍ଡିଆନ୍ସ ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଉଦ୍ୟମ କରିବାବେଳେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ଳେ ଅଫ ଆଶା ବଜାୟ ରଖିବା ପାଇଁ ଆଜିର ମ୍ୟାଚ କର ବା ମର ହୋଇଯାଇଛି
ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ରେ ଆଜି ଶୁକ୍ରବାର ଦିନ ମୁହାଁମୁହିଁ ହେବେ ଆଇପିଏଲ ଇତିହାସର ଦୁଇ ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ । ମୁମ୍ବଇ ଇଣ୍ଡିଆନ୍ସ ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଉଦ୍ୟମ କରିବାବେଳେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ଳେ ଅଫ ଆଶା ବଜାୟ ରଖିବା ପାଇଁ ଆଜିର ମ୍ୟାଚ କର ବା ମର ହୋଇଯାଇଛି । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନାଇ ସୁପରକିଙ୍ଗ୍ସ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି । ଦଳର ପ୍ଲେ ଅଫ ଆଶା ନେଇ ଆଜିର ମ୍ୟାଚ୍ ଶେଷ ସୁଯୋଗ ରହିଛି । ସେନ୍ ୱାଟ୍ସନ, ମୁରଲୀ ବିଜୟ, ଅମ୍ବାତି ରାଇଡୁ, କେଦାର ଯାଦବ, ଫ୍ଲାଫ ଡୁପ୍ଲେସି, ଧୋନି, ରବୀନ୍ଦ୍ର ଜାଡେଜା ଓ ସାମ୍ କରନଙ୍କ ଭଳି ଖେଳାଳି ରହିଥିଲେ ମଧ୍ୟ ଦଳର ଆଇପିଏଲରେ ଚମକବିହୀନ ପ୍ରଦର୍ଶନ ଦେଖିବାକୁ ମିଳିଛି। ଡୁପ୍ଲେସି ୩୭୫, ସେନ୍ ୱାଟସନ ୨୮୫,ରାଇଡୁ ୨୫୦ ରନ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ଉପଯୁକ୍ତ ସହଯୋଗ ନମିଳିବା ଦଳକୁ ଏକାଧିକ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି।
ପ୍ରଥମ ରାଉଣ୍ଡ ମ୍ୟାଚରେ ଦଳ ମୁମ୍ବଇ ଇଣ୍ଡିଆନ୍ସ କୁ ୫ ୱିକେଟରେ ପରାସ୍ତ କରି ଚମ୍ପିଆନ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୟନୀୟ ପ୍ରଦର୍ଶନ କରି ପ୍ଲେ ଅଫ ପାଇଁ ସଂଘର୍ଷ କରୁଛି। ଶେଷ ୪ ମ୍ୟାଚ ଜିତି ପ୍ଲେ ଅଫକୁ ଉନ୍ନୀତ ହେବା ନେଇ ଆଶା ରଖିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସ ୯ଟି ମ୍ୟାଚରୁ ୬ଟି ବିଜୟ ଓ ୩ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି। ରୋହିତ ଓ କ୍ବାଣ୍ଟେନ ଡିକକ୍ଙ୍କ ସମେତ ସୂର୍ୟ୍ୟକୁମାର ଯାଦବ, ଇଷାନ୍ କିଷାନ, ହାର୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟାଙ୍କ ସମେତ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା, ଜେମ୍ସ ପାଟିନ୍ସନ ଭଳି ଖେଳାଳି ରହିଛନ୍ତି। ବ୍ୟାଟିଂ ଓ ବୋଲିଂରେ ଦଳ ନିକଟରେ ପୂର୍ଣ୍ଣ ଦକ୍ଷତାପ୍ରାପ୍ତ ଖେଳାଳି ରହିଥିବାରୁ ଚେନ୍ନଇ ବିପକ୍ଷରେ ପ୍ରତିଶୋଧ ଲକ୍ଷ୍ୟ ନେଇ ଦଳ ପଡିଆକୁ ଓହ୍ଲାଇବ ।