ଚୌକି ପାଇଁ ମଞ୍ଚ ଉପରେ ୨ ମହିଳା ନେତ୍ରୀ ଟଣାଓଟରା, ଭାଇରାଲ୍ ହେଉଛି ଭିଡିଓ…

ନୂଆଦିଲ୍ଲୀ, ୨୫/୧୨ : ଚୌକିକୁ ନେଇ ମଞ୍ଚ ଉପରେ ୨ ମହିଳା ନେତ୍ରୀ ଟଣାଓଟରା। କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଧ୍ୟପ୍ରଦେଶର ପନ୍ନାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏକ ପ୍ରମୁଖ ରାଜନୈତିକ ଦଳର ଦୁଇ ମହିଳା ନେତ୍ରୀ ମଞ୍ଚ ଉପରେ ଟଣାଓଟରା ହୋଇଥିବା ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କ ଚୁଟି ଘୋଷାଡ଼ି ଥାପଡ଼ ମରାମରି ହୋଇଛନ୍ତି। ଏହି ଘଟଣା ବେଳର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ସୂଚନାନୁଯାୟୀ, ପନ୍ନାରେ ବିଜେପିର ୨୫ତମ ରାଷ୍ଟ୍ରୀୟ ଭଲିବଲ୍ ଚାମ୍ପିଅନସିପ୍ ସମାପନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଠାରେ ଖେଳାଳିଙ୍କୁ ପୁରସ୍କାର ବିତରଣ କରିବା ପାଇଁ ବିଜେପି ପ୍ରଦେଶ ଅଧ୍ୟକ୍ଷ ଏବଂ ସାଂସଦ ବିଡି ଶର୍ମା ମୁଖ୍ୟ ଅତିଥି ରୂପେ ନିମନ୍ତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଶିବରାଜଙ୍କ ସରକାରର କୃଷି ମନ୍ତ୍ରୀ କମଳ ପଟେଲ, ଶ୍ରମ ମନ୍ତ୍ରୀ ବୃଜେନ୍ଦ୍ର ସିଂହଙ୍କ ସମେତ ସ୍ଥାନୀୟ ବଧାୟକ ସଞ୍ଜୟ ପାଠକ ଉପସ୍ଥିତ ଥିଲେ।
ଏହି ମଧ୍ୟରେ ମଞ୍ଚାସୀନ ଥିବା ଜଣେ ବିଜେପି ମହିଳା ନେତ୍ରୀ ନିକଟରେ ବସିଥିବା ଆଉ ଜଣେ ମହିଳା ନେତ୍ରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଦେଖୁ ଦେଖୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢିଯାଇଥିଲା। ଜଣେ ନେତ୍ରୀ ଅନ୍ୟ ଜଣେ ନେତ୍ରୀଙ୍କୁ ଏକ ଜୋରଦାର ଥାପଡ଼ ମାରିଥିଲେ। ସେହିପରି ଅନ୍ୟ ମହିଳା ଜଣଙ୍କ ମଧ୍ୟ ତାଙ୍କୁ ଥାପଡ଼ ମାରିଥିଲେ। ଏହି ଘଟଣା ଦେଖି ସମସ୍ତେ ଆଚମ୍ଵିତ ହୋଇଯାଇଥିଲେ। ମଞ୍ଚାସୀନ ଥିବା କିଛି ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। କୁହାଯାଉଛି ଏହି ଲଢେଇ ମଞ୍ଚ ଉପରେ ଚୌକିକୁ ନେଇ ହୋଇଥିଲା।