
ନୂଆଦିଲ୍ଲୀ: ୨୦୨୪ ଯାଏ ହେବନି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରାଯିବା ନେଇ ଚର୍ଚ୍ଚା ହେଉଛି । ଅର୍ଥାତ ୨୦୨୪ ସାଧାରଣ ନିର୍ବାଚନ ଯାଏଁ ଜେପି ନଡ୍ଡା ଅଧ୍ୟକ୍ଷ ରହିବେ। ଆଗାମି ଦିନରେ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇ ଥିବା ସୂଚନା ମିଳିଛି। ୨୦୨୩ ଜାନୁଆରୀ ୨୦ରେ ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ସେ ଦଳର ସର୍ବସମ୍ମତିକ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବିଜେପିର ସମ୍ବିଧାନ ଅନୁଯାୟୀ ଦଳର ଅଧ୍ୟକ୍ଷ ଭାବେ ଜଣେ ନେତା ଲଗାତାର ଦୁଇ ପାଳି ପର୍ଯ୍ୟନ୍ତ ରହିପାରିବେ। ଜେପି ନଡ୍ଡା ପ୍ରଥମ ସାତ ମାସ ପାଇଁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ଏହା ପରେ, ଜାନୁଆରୀ ୨୦, ୨୦୨୦ରେ ସେ ଜାତୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ସେହି ଅନୁଯାୟୀ, ତାଙ୍କର ତିନି ବର୍ଷ କାର୍ଯ୍ୟକାଳ ଜାନୁଆରୀ ୨୦, ୨୦୨୩ରେ ରେ ସମାପ୍ତ ହେଉଛି। ତେବେ, ୨୦୨୪ର ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ତାଙ୍କୁ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିବା ଜେପି ନଡ୍ଡା ନିଜର ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ଜଣାଶୁଣା। ସେ କେବଳ କେନ୍ଦ୍ରରେ ନୁହେଁ ହିମାଚଳ ପ୍ରଦେଶରେ ମଧ୍ୟ ମନ୍ତ୍ରୀ ରହିଛନ୍ତି। ୧୯୯୮ରୁ ୨୦୦୩ପର୍ଯ୍ୟନ୍ତ ସେ ହିମାଚଳ ପ୍ରଦେଶରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ଏହା ପରେ ସେ ୨୦୦୮ରୁ ୨୦୧୦ପର୍ଯ୍ୟନ୍ତ ଧୁମଲ ସରକାରରେ ମନ୍ତ୍ରୀ ପଦ ମଧ୍ୟ ଗ୍ରହଣ କରିଥିଲେ।