Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୩ରେ କଟକରେ ବଣ୍ଟାଯିବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ

ଆସନ୍ତା ଡିସେମ୍ବର ୧୩ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବ କଟକ ।  କଟକ ଉପର ବାଲିଯାତ୍ରା ପଡିଆରେ ଆସନ୍ତା ୧୩ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ । ଏହାସହ ସହରର କିଛି ନୂଆ ପ୍ରକଳ୍ପର ଶୁଭାରମ୍ଭ ହେବାର ଯୋଜନା ମଧ୍ୟ ରହିଛି ।

କଟକରେ ପ୍ରାୟ ୩୦ ମିନିଟ ରହି ପୁଣି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ । କଟକ ଜିଲ୍ଲାରେ ମୋଟ ୫ ଲକ୍ଷ ୬ ହଜାର ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଏଥିରେ କଟକ ସହରର ୯୫ ହଜାର କାର୍ଡ ରହିଥିବା ବେଳେ ଅନ୍ୟ କାର୍ଡ ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ବଣ୍ଟାଯିବ । ସହରରେ ୱାର୍ଡ ୱାରୀ ଓ ଗ୍ରାମାଞ୍ଚଳରେ ପଞ୍ଚାୟତୱାରୀ କାର୍ଡ ବଣ୍ଟନ କରିବାକୁ ଯୋଜନା କରାଯାଇଛି । ୧୩ ତାରିଖ ପରେ ପଞ୍ଚାୟତସ୍ତରୀୟ ଶିବିର ଆୟୋଜନ କରାଯାଇ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ।

ସକାଳ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ରହିଛି । ବାଲିଯାତ୍ରା ଉପର ପଡିଆର ଉଭୟ ପଟ ପଡିଆକୁ କାର୍ଯ୍ୟକ୍ରମ ପାଇଁ ରିଜର୍ଭ ରଖାଯାଇଛି । ବାରବାଟୀ ଷ୍ଟାଡିୟମ୍‌ ହର୍ଷ ଗେଟ୍‌ ସମ୍ମୁଖ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍‌ କରାଯିବ । ଆରପଟ ଅର୍ଥାତ୍‌ ଗଡ଼ଗଡ଼ିଆ ମନ୍ଦିର ସମ୍ମୁଖ ପଡିଆରେ କାର୍ଯ୍ୟକ୍ରମ ଆୟୋଜନ ହେବାର ଯୋଜନା କରାଯାଇଛି । ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ୍‌ରେ ଅବତରଣ କରି ସିଧାସଳଖ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ମଞ୍ଚରେ ୨ ଶହ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ କିଛି ହିତାଧିକାରୀଙ୍କୁ କାର୍ଡ ଦେବା ପରେ କଟକର ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନ୍ୟମାନଙ୍କୁ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ କଟକ ସହରର କିଛି ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିବେ । ଏନେଇ ତାଲିକା ଚୂଡାନ୍ତ ହୋଇନାହିଁ । ଆସନ୍ତାକାଲି ସୁଦ୍ଧା ଏହାର ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି ।

Show More

Related Articles

Back to top button