
ଭୁବନେଶ୍ଵର, ୨୬/୧୨ : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, କୋଭିଡ୍ ମୁକାବିଲା ପାଇଁ ମକଡ୍ରିଲ୍ ହୋଇଛି। ସବୁ ସିଡିଏଓଙ୍କ ସହ ଆଲୋଚନା ହୋଇଛି। ଲୋକ ବଳ କେତେ ଅଛି ସେନେଇ ଆଲୋଚନା ହୋଇଛି। ଯଦି ଅଧିକ ଲୋକବଳ ଆବଶ୍ୟକ ପଡେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହାସହ ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ୍ କାର୍ଯ୍ୟକ୍ଷମ କରାଯାଇଛି। ତାହା ଭିତରେ ଆକ୍ସିଜେନ ବ୍ୟବସ୍ଥା ଥିବା ବେଡ୍ ଅଧିକ ରଖାଯାଇଛି।
ଟେଷ୍ଟିଂ ଓ ଚିକିତ୍ସା ପାଇଁ ଯେଉଁ ଆବଶ୍ୟକୀୟ ଉପକରଣ ଦରକାର ତାହା ମହଜୁଦ ରହିଛି। ରାଜ୍ୟ ସରକାର ସବୁ ବ୍ୟବସ୍ଥାର ଆଜି ଆଲୋଚନା କରି ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ହକି ବିଶ୍ଵକପ ପାଇଁ ଆହୁରି ସମୟ ଅଛି। ସେତେବେଳେ ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ। ତେଣୁ ଏବେଠାରୁ ଆକଳନ କରି କିଛି ନିଷ୍ପତି ନେବା ଭୁଲ୍ ହେବ। ହକି ଖେଳାଳିଙ୍କ ପ୍ରତି ଯେଉଁ ଏସୋପି ଅଛି ହକି ଇଣ୍ଡିଆ ଏବଂ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେବ। ୩ ଦିନ ପୂର୍ବରୁ ନାଜାଲ ଟିକାକୁ ଅନୁମତି ଦିଆଯାଇଛି। ଗୋଟିଏ ନାଜାଲ୍ ଟିକାରେ ଦୁଇଟି ଡୋଜ୍ ଥାଏ। ପ୍ରଥମେ ଘରୋଇ ହସ୍ପିଟାଲରେ ଏହା ଦିଆଯିବ। ରାଜ୍ୟକୁ ନାଜାଲ ଟିକା ଆସିଛି ନା ନାହିଁ ସେନେଇ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡକୁ ତଥ୍ୟ ମଗାଯାଇଛି।