ଦେଶ ବିଦେଶ

ବିହାର ସରକାର: ଜାନୁଆରୀ ୪ରୁ ଖୋଲିବ ସ୍କୁଲ ଏବଂ କଲେଜ

କୋଭିଡ୍ ଗାଇଡଲାଇନ୍ ସହ ଆରମ୍ଭ ହେବ ପାଠପଢା

ବିହାରରେ ଆସନ୍ତା ଜାନୁୟାରୀରୁ ସ୍କୁଲ, କଲେଜ ଏବଂ କୋଚିଂ କ୍ଲାସ୍ ଖୋଲିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୯ମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ । କରୋନାର ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି ।ବିହାରର ମୁଖ୍ୟ ସଚିବ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ସଚିବ କହିଛନ୍ତି ଯେ, ସ୍କୁଲ ଏବଂ କଲେଜ ପ୍ରଶାସନର ଦାୟିତ୍ବ ହେଉଛି ଶ୍ରେଣୀ ଗୃହ ଏବଂ ସ୍କୁଲ କଲେଜ ପରିସରକୁ ସଫାସୁତରା ରଖିବା ସହ ସାମାଜିକ ଦୂରତା ପାଳନ ପୂର୍ବକ ପାଠପଢା ଆରମ୍ଭ ହେବ ।ଜାନୁୟାରୀ ୧୮ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯିବ । ତେବେ ଏହା ପୂର୍ବରୁ କୌଣସି ସ୍କୁଲ କିମ୍ବା କଲେଜରେ ଯଦି କିଛି ସମସ୍ୟା ଥାଏ ତାହାକୁ ନେଇ ସରକାର ସମୀକ୍ଷା କରିବେ ।

ହଷ୍ଟେଲ ଖୋଲାଯିବ କି ନାହିଁ ସେ ନେଇ ପ୍ରଶ୍ନର ଉତ୍ତରରେ ମୁଖ୍ୟ ସଚିବ କହିଛନ୍ତି ଯେ, ସଂପୃକ୍ତ ସ୍କୁଲ ଏବଂ କଲେଜ କର୍ତ୍ତୃପକ୍ଷ ହଷ୍ଟେଲଗୁଡିକ କିପରି ଖୋଲିବେ ସେ ନେଇ ଏକ ଖସଡା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ । ଏହା ପରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ହଷ୍ଟେଲ ଏବଂ କୋଚିଂ କ୍ଲାସ ଖୋଲିବା ପାଇଁ ଅନୁମତି ଦିଆଯିବ ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ଦିନରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ । ଯଦି କୌଣସି ଶ୍ରେଣୀରେ ୫୦ ଜଣ ପିଲା ଥିବେ ତେବେ ଗୋଟିଏ ଦିନରେ ୨୫ ଜଣ ଏବଂ ଅନ୍ୟ ଦିନରେ ଆଉ ୨୫ ଜଣଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ।

Show More

Related Articles

Back to top button