
ନୂଆଦିଲ୍ଲୀ: ଭାରତକୁ ଲାଗିଲା ବଡ଼ ଝଟକା। ଆଣ୍ଠୁରେ ଆଘାତ ଲାଗିବା ସମସ୍ୟା ଯୋଗୁଁ ଟିମର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଯାଇ ପାରିବେ ନାହିଁ। ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିବା ଜାଡେଜା ଆଣ୍ଠୁ ଜନିତ ସମସ୍ୟା ଯୋଗୁଁ ସୁପର ୪ରୁ ବାଦ ପଡ଼ିଥିଲେ । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ତୁରନ୍ତ ଦୁବାଇରୁ ମୁମ୍ବାଇ ଆସି ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ସଫଳ ହୋଇଥିଲେ ମଧ୍ୟ ସେ କେବେ ସୁସ୍ଥ ହେବେ, ତା ଖବର କାହା ପାଖରେ ନାହିଁ। ତେଣୁ ବଡ ଦୁଃଖର କଥା କି, ସେ ଟି-୨୦ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ ଯାଇ ପାରିବେ ନାହିଁ। ତେବେ ଏସିଆ କପ ଚାଲିଥିବା ବେଳେ ଜାଡେଜା କେମିତି ହଠାତ୍ ଏତେ ବଡ଼ ଆହତ ସମସ୍ୟାରେ ପଡ଼ିଲେ, ତା’କୁ ନେଇ କ୍ରିକେଟ ପଣ୍ଡିତ ଓ ଫ୍ୟାନ୍ସମାନେ ପ୍ରଶ୍ନ ଉଠାଇଛନ୍ତି। ଜାଡେଜା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ ସାଥୀ ଖେଳାଳିଙ୍କ ସହ ଦୁବାଇର ସମୁଦ୍ରରେ ଜଳକ୍ରୀଡ଼ା କରୁଥିଲେ। ଏହି ସମୟରେ ଜାଡେଜାଙ୍କ ଗୋଡ଼ ଖସି ଯିବାରୁ ତାଙ୍କ ଆଣ୍ଠୁରେ ଜୋର ଆଘାତ ଲାଗିଥିଲା। ଏହା ଅତ୍ୟନ୍ତ ଗୁରୁତର ଥିବାରୁ ସେ ସର୍ଜରୀ ମଧ୍ୟ କରିଛନ୍ତି। ବିସିସିଆଇ ମଧ୍ୟ ଏପରି ଅବହେଳାକୁ ନେଇ ଟିମ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି। ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାଡେଜା ଓ ଅନ୍ୟମାନେ ଗୋଟିଏ ଦୁଃସାହସିକ ଇଭେଣ୍ଟରେ ଭାଗ ନେଉଥିଲେ। ଏହି ସମୟରେ ଜାଡେଜାଙ୍କୁ ସ୍କି-ବୋର୍ଡ ଉପରେ ନିଜକୁ ସନ୍ତୁଳନ କରି ରଖିବାକୁ ପଡ଼ିଥିଲା। ତେବେ ତାଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ଜୋରରେ ପଡ଼ିଥିଲେ ଓ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା କୌଣସି ପ୍ରକାରର ଟ୍ରେନିଂ ଅଂଶବିଶେଷ ନଥିଲା। ଏହା ସଂପୂର୍ଣ୍ଣ ଭାବେ ଅନାବଶ୍ୟକ ଥିଲା। ତଥାପି ଜାଡେଜା ଏପରି କରିଥିଲେ ବୋଲି ଏହି ସୂତ୍ରରେ କୁହାଯାଇଛି। ଏହାକୁ ନେଇ ବିସିସିଆଇ କର୍ତ୍ତୃପକ୍ଷ କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ସେମାନେ କେମିତି ଜାଡେଜାଙ୍କୁ ଏତେ ବଡ଼ ରିସ୍କ ନେବାକୁ ଅନୁମତି ଦେଲେ ବୋଲି ମଧ୍ୟ ବିସିସିଆଇ କର୍ତ୍ତୃପକ୍ଷ ପ୍ରଶ୍ନ କରିଥିଲେ। ଅବହେଳା ଯୋଗୁ ଜାଡେଜାଙ୍କ ଭଳି ଜଣେ ଖେଳାଳି ଆଜି ଟି-୨୦ ବିଶ୍ୱକପରୁ ବଞ୍ଚିତ ହୋଇଛନ୍ତି। ଏହା ଦଳର କମ୍ବିନେସନ ଉପରେ ପ୍ରଭାବ ପକାଇବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।