
ଆଗକୁ ଦେଶରେ ପାର୍ବଣ ଋତୁ। ଏଣୁ ସରକାର ଖାଉଟିଙ୍କ ଲାଗି ଖାଦ୍ୟ ତୈଳ ଶସ୍ତା କରିପାରନ୍ତି। ଦେଶରେ ଖାଦ୍ୟ ତୈଳ ସମୀକ୍ଷା ଲାଗି ଖାଦ୍ୟ ଶଚିବ ଗୁରୁବାର କମ୍ପାନୀମାନଙ୍କ ସହିତ ବୈଠକ କରିଛନ୍ତି। ଏଥିରେ କମ୍ପାନୀମାନଙ୍କୁ ଲିଟର ପିଛା ଅନୁନ୍ୟ ୧୦ ଟଙ୍କା ହ୍ରାସ କରନ୍ତୁ ବୋଲି କୁହାଯାଇଛି। ଯଦି କମ୍ପାନୀମାନେ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରନ୍ତି ପାର୍ବଣ ଋତୁରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଗତ କିଛିମାସ ହେଲା ଖାଦ୍ୟ ତୈଳ ଦର ଲଗାତାର ବଢି ରହିଛି। ତେବେ ପାର୍ବଣ ଋତୁରେ ଶସ୍ତା ହେବା ବାସ୍ତବିକ ଉତ୍ସାହଜନକ। ସରକାର ଯଦି ଖାଦ୍ୟ ତୈଳ ଦର ଶସ୍ତା କରିବାରେ ସଫଳ ହୁଅନ୍ତି ତେବେ ମୂଲ୍ୟବୃଦ୍ଧି କିଛିମାତ୍ରାରେ ନିୟନ୍ତ୍ରିତ ହେବ ବୋଲି ଆଶା କରାଯାଉଛି। ମୂଲ୍ୟବୃଦ୍ଧି ପ୍ରସଙ୍ଗ ଏବେ ସଂସଦରେ ମଧ୍ୟ ଉଠିଛି। ମୂଲ୍ୟ ବୃଦ୍ଧିକୁ ନେଇ ବିରୋଧୀ ଲଗାତାର ଗୃହ ଅଚଳ କରୁଛନ୍ତି। ଏଣୁ ଖାଦ୍ୟ ସଚିବଙ୍କ ଆଲୋଚନା ସାର୍ଥକ ହେଲେ ପାର୍ବଣ ଋତୁରେ ଖାଦ୍ୟ ତୈଳ ଦରରେ ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଦେଶରେ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ଉଦ୍ୟମ ଅନେକ ସମୟରୁ ଜାରି ରହିଛି।
ଏଥିରେ କିଛିମାତ୍ରାରେ ଦର ମଧ୍ୟ କମିଛି। ଫଳରେ ଲିଟର ପିଛା ୨୦୦ ଟଙ୍କା ଦରରେ ବିକ୍ରି ହେଉଥିବା ସୋରିଷ ତେଲ ଏବେ ୧୬୦ରୁ ୧୭୦ ଟଙ୍କା ଦରରେ ବିକ୍ରି ହେଉଛି। ଗତମାସରେ କମ୍ପାନୀମାନେ ଖାଦ୍ୟ ତୈଳ ଦରରେ ଲିଟରପିଛା ୨୦ରୁ ୨୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ। ଯାହାର ପ୍ରଭାବ ଖୁଚୁରା ବଜାରରେ ମଧ୍ୟ ପଡିଛି। ତେବେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖାଦ୍ୟ ତୈଳ ଦର ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଭାରତ ଏବେ ତାର ଖାଦ୍ୟ ତୈଳ ଆବଶ୍ୟକତା ମଧ୍ୟ ପୂରଣ କରିପାରୁନି। ପେଟ୍ରୋଲ ଓ ଡିଜେଲ ଭଳି ବିଦେଶରୁ ଖାଇବା ତେଲ ଆମଦାନୀ କରୁଛି। ଏଣୁ ଅନ୍ତରାଷ୍ଟ୍ରୀୟ ବଜାରରେ ଖାଦ୍ୟ ତୈଳ ମହଙ୍ଗା ହେଲେ ଦେଶରେ ମଧ୍ୟ ମହଙ୍ଗା ହେଉଛି। ମାଲେସିଆରୁ ପାମ ଅଏଲ ଆମଦାନୀ ହେଉଛି। ସେଠାରେ ଯଦି ମୂଲ୍ୟ ବୃଦ୍ଧି ହେଉଛି ଦେଶରେ ମଧ୍ୟ ପାମ ତେଲ ଦର ବଢୁଛି। ଭାରତ ମୋଟ ଆବଶ୍ୟକତାର ୬୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରିଥାଏ।