ଓଡ଼ିଶାସ୍ୱାସ୍ଥ୍ୟ

ବିଦ୍ୟାଳୟରୁ ଏକକାଳୀନ ୪୧ ଜଣ କରୋନା ପଜିଟିଭ ଚିହ୍ନଟ

ବିଦ୍ୟାଳୟରୁ ଏକକାଳୀନ ୪୧ ଜଣ କରୋନା ପଜିଟିଭ ଚିହ୍ନଟ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ଏହାକୁ ନେଇ ସ୍କୁଲରେ ଭୟର ବାତାବରଣ ସୃଷ୍ଟି  ।ଏନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ।

ସୂଚନା ଅନୁଯାୟୀ, ଏହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମୁଦାୟ ଛାତ୍ରୀଙ୍କ ସଂଖ୍ୟା ୩୪୦ । ତେବେ ଏଠାରେ ଗତ ବୁଧବାର ୧୨ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ଛାତ୍ରୀମାନଙ୍କୁ  ସ୍କୁଲ ପରିସର ଏକ ହଲ୍‌ରେ କରାଯାଇଥିବା ସଂଗରୋଧ ଶିବିରରେ ରଖାଯାଇଥିବାବେଳେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା,ଆଜି ସ୍କୁଲର ଛାତ୍ରୀମାନେ ରହୁଥିବା ହଷ୍ଟେଲରେ କରୋନା ଚିହ୍ନଟ ପରୀକ୍ଷଣ କରାଯାଉଛି। ଛାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଛି । ସ୍କୁଲର କିଛି ପିଲାଙ୍କ ଥଣ୍ଡା ହେବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେମାନଙ୍କ କରୋନା ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସ୍କୁଲର ଅନ୍ୟ ଛାତ୍ରୀମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯାହା ଭିତରୁ ୪୧ ଜଣଙ୍କ ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଛି। ତେବେ ଅଧିକାଂଶ ଛାତ୍ରୀମାନଙ୍କ ଥଣ୍ଡା, ଜ୍ୱର ପ୍ରଭୃତି କୌଣସି ଲକ୍ଷଣ ନାହିଁ। ସେମାନେ ସୁସ୍ଥ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ କରୋନା ଆକ୍ରାନ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ।

 

Show More

Related Articles

Back to top button