ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବା ମୁଡ୍‌ରେ ନାହାନ୍ତି ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଯୋଜନା କରୁଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ନେତାମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କିଛି ଅଲଗା ମୁଡ୍‌ରେ ଅଛନ୍ତି। ନିକଟରେ ତାଙ୍କୁ ନୀତୀଶ କୁମାର ଭେଟିବା ସହ ୨୦୨୪ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟକୁ ଦୃଢ କରିବା ସମ୍ପର୍କରେ ଆଲୋଚନା କରିଥିଲେ। କିନ୍ତୁ କେଜ୍ରିୱାଲ ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବା ମୁଡରେ ନଥିବା ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ଦଳ ଆପ୍‌ ଏକାକୀ ୨୦୨୪ ସାଧାରଣ ନିର୍ବାଚନରେ ଲଢ଼େଇ କରିବ ବୋଲି ମଧ୍ୟ ପରୋକ୍ଷରେ କହିଛନ୍ତି।ରବିବାର ଦିଲ୍ଲୀରେ ଆପ୍‌ର ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ପ୍ରଥମ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକରେ କେଜ୍ରିୱାଲ ଦଳୀୟ ନେତାଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ରଣା ଦେଇଛନ୍ତି। ଏଥିସହ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ଫୋକସ କରିବାକୁ କହିଛନ୍ତି। ଦଳ ନିଜସ୍ୱ କାର୍ଯ୍ୟକ୍ରମ ଜରିଆରେ ସବୁ ପ୍ରକାରର ଲଢ଼େଇ ପାଇଁ ପ୍ରସ୍ତୁତ ଥିବା କେଜ୍ରିୱାଲ କହିବା ପରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଛନ୍ତି। ଏହାର ଅର୍ଥ କେଜ୍ରିୱାଲ ଏଯାଏ ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବା ମୁଡରେ ନାହାନ୍ତି। ବିଜେପି ବିରୋଧୀ ମେଣ୍ଟ ବଦଳରେ କେଜ୍ରିୱାଲ ଦଳୀୟ ନେତାମାନଙ୍କୁ ୧୩୦ କୋଟି ଭାରତୀୟ ସହ ମେଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ଆପ୍‌ ଆରମ୍ଭ କରିଥିବା ମେକ୍‌ ଇଣ୍ଡିଆ ନଂ ୧ କାର୍ଯ୍ୟକ୍ରମ ଜରିଆରେ ଦଳୀୟ ନେତାମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ କୁହାଯାଇଛି। ଗୁଜରାଟରେ ଆପ୍‌ର ଲୋକପ୍ରିୟତା ବଢ଼ୁଥିବାରୁ ବିଜେପି ବର୍ତ୍ତମାନ ଚିନ୍ତାରେ ରହିଛି। ତେଣୁ ବିଜେପି ଆପ୍‌କୁ ବଦନାମ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛି। ଏପରି କି ଦଳର ବିଧାୟକ ଓ ନେତାମାନଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଉଥିବା କେଜ୍ରିୱାଲ କହିଛନ୍ତି।

 

Show More

Related Articles

Back to top button