Breaking PLUSଦେଶମୁଖ୍ୟ ଖବର

ଆନ୍ଧ୍ର ପ୍ରଦେଶର ହେବନି ୩ଟି ରାଜଧାନୀ, ବିରୋଧ ପରେ ଆଇନ ପ୍ରତ୍ୟାହାର ଘୋଷଣା କଲେ ସରକାର

ଆନ୍ଧ୍ର ପ୍ରଦେଶର ହେବନି ୩ଟି ରାଜଧାନୀ । ଆନ୍ଧ୍ର ପ୍ରଦେଶ ସରକାର ଆଜି ରାଜ୍ୟରେ ତିନୋଟି ରାଜଧାନୀ ପ୍ରତିଷ୍ଠା ନେଇ କରିଥିବା ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି ନିଷ୍ପତ୍ତି ନେଇଛନ୍ତି ।

ଗତ ବର୍ଷ ଜୁନରେ ରାଜ୍ୟରେ ୩ଟି ରାଜଧାନୀ ରହିବା ନେଇ ସ୍ୱତନ୍ତ୍ର ଆଇନ ତିଆରି କରାଯାଇଥିଲା । ରାଜ୍ୟର ପୂର୍ବ ଟିଡିପି ସରକାର ଦ୍ୱାରା ୨୦୧୫ରେ ଅମରାବତୀକୁ ରାଜଧାନୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଯାହା ବିରୋଧରେ ଜଗନମୋହନ ସରକାର ଆନ୍ଧ୍ର ପ୍ରଦେଶ କ୍ୟାପିଟାଲ ରିଜନ ଡେଭଲପମେଣ୍ଟ ଆକ୍ଟ ପ୍ରଣୟନ କରିଥିଲେ । ଏହାରି ଆଧାରରେ ରାଜ୍ୟରେ କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ବିଧାୟିକା ଆଧାରରେ ତିନୋଟି ରାଜଧାନୀ ବିଶାଖାପାଟଣା, କୁରନୁଲ ଓ ଅମରାବତୀ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ହେଲେ ଆଜି ଆନ୍ଧ୍ର ପ୍ରଦେଶର ୩ଟି ରାଜଧାନୀ କରାଯିବା ନିଷ୍ପତ୍ତିକୁ ରେଡ୍ଡୀ ସରକାର ପ୍ରତ୍ୟାହାର କରିଛନ୍ତି । ମନ୍ତ୍ରୀ କୋଡାଲି ନନୀ ସାମ୍ବାଦିକଙ୍କୁ ଜଣାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ବିଧାନସଭାରେ ଏହି ନିଷ୍ପତ୍ତି ବିଷୟରେ ବିସ୍ତୃତ ସୂଚନା ଦେବେ । ରାଜ୍ୟର ଆଡଭୋକେଟ୍ ଜେନେରାଲ ସୁବ୍ରମଣ୍ୟମ ଶ୍ରୀରାମ ହାଇକୋର୍ଟରେ କ୍ୟାବିନେଟର ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ।

ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ୩ଟି ରାଜଧାନୀ କରାଯିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ଯାଚିକା ଉପରେ ନଭେମ୍ବର ୧୫ରୁ ଶୁଣାଣି କରୁଥିଲେ । ଅମରାବତୀକୁ ରାଜଧାନୀ କରାଯିବା ନେଇ ଯେଉଁ କୃଷକ ନିଜର ୩୪ ହଜାର ଏକର କୃଷି ଯୋଗ୍ୟ ଜମି ଦେଇଥିଲେ, ସେମାନେ ଏହି ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ମାମଲାରେ ୧୦୦ରୁ ଅଧିକ ଆବେଦନ ଦାଖଲ କରାଯାଇଛି ।

Show More

Related Articles

Back to top button