Breaking PLUSଦୁର୍ଘଟଣାମୁଖ୍ୟ ଖବର

ଆର୍ଥିକ ସମସ୍ୟାକୁ ନେଇ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି, ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଦେହ

ବିହାରର ସମସ୍ତିପୁର ଜିଲ୍ଲାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବିଦ୍ୟାପତିନଗର ଥାନା ଅନ୍ତର୍ଗତ ମାଉ ଧନେଶପୁର ଦକ୍ଷିଣ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଆର୍ଥିକ ସମସ୍ୟାକୁ ନେଇ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଥିବା କୁହାଯାଉଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ମୃତକ ହେଲେ- ମନୋଜ ୪୨ବର୍ଷ, ସୁନ୍ଦର ମଣି ୩୮ବର୍ଷ, ସୀତା ଦେବୀ ୬୫ବର୍ଷ, ସତ୍ୟମ୍ ୧୦ବର୍ଷ ଓ ଶିବମ୍ ୭ବର୍ଷ। ସୂଚନା ଅନୁସାରେ, ମନୋଜ ତାଙ୍କ ପତ୍ନୀ ସୁନ୍ଦର, ମା’ ସୀତା ଦେବୀ ଓ ଛୁଆ ସତ୍ୟମ ଏବଂ ଶିବମଙ୍କ ସହ ରହୁଥିଲେ। ମନୋଜଙ୍କ ୨ ଝିଅ ମଧ୍ୟ ଅଛନ୍ତି। ଜଣେ ଝିଅ ବାପ ଘରକୁ ବୁଲିବାକୁ ଆସିଥିଲେ। ସେ ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ। ସକାଳୁ ଯେତେବେଳେ ସେ ଉଠିଲେ ପରିବାରର ୫ ସଦସ୍ୟଙ୍କ ମୃତଦେହ ଦେଖି ପାଦ ତଳୁ ତାଙ୍କର ମାଟି ଖସି ଯାଇଥିଲା। ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଗାଁ ଲୋକ ଦୌଡ଼ି ଆସିଥିଲେ। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଯେ, ପରିବାର ସଦସ୍ୟ ଧାର କରଜ କରିଥିଲେ। ଝିଅର ବାହା ଘର ପାଇଁ ମନୋଜ ଧାର ନେଇଥିଲେ। ପରିବାର ଉପରେ ଋଣ ଭାର ଯୋଗୁ ସେ ଚିନ୍ତାରେ ରହୁଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୫ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ କଣ ଜଣାପଡ଼ିବ।

Show More

Related Articles

Back to top button