ଓଡ଼ିଶାମୁଖ୍ୟ ଖବର

ଫେରିବ ଶୀତ, ୪-୬ ଡିଗ୍ରୀ କମିବ ତାପମାତ୍ରା

ଆସନ୍ତା ୩ଦିନ ଧରି ଥରାଇବ ଶୀତ

ଏବର୍ଷ ଶୀତର ଦେଖା ନାହିଁ । ଡିସେମ୍ବର ସରିବାକୁ ବସିଲାଣି । କିନ୍ତୁ ପୂର୍ବବର୍ଷ ଭଳି ଶୀତ ପଡିନି । ବର୍ଷେ ତଳେ ଡିସେମ୍ବର ପ୍ରଥମ ସପ୍ତାହରେ ଦାରିଙ୍ଗିବାଡ଼ି, କେନ୍ଦୁଝରରେ ବରଫ ପଡ଼ୁଥିଲା। ଠକ୍‌ଠକ୍‌ ହୋଇ ଶୀତରେ ଥରୁଥିଲା ସୋନପୁର, ଭବାନୀପାଟଣା। ଉପକୂଳ ଓଡ଼ିଶା ବି କାଲୁଆ ପବନରେ ଥରଥର ହେଉଥିଲା । କିନ୍ତୁ ଏବେସୁଦ୍ଧା ବାକ୍ସରୁ ବାହାରିନି ଶୀତ ବସ୍ତ୍ର। ସର୍ବନିମ୍ନ ତାପମାତ୍ରା ୧୫-୧୮ ଡିଗ୍ରୀ ପାଖାପାଖି ରହୁଛି । କାଁ ଭାଁ କେଇ ଥର ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା ।ପାଣିପାଗ ବିଭାଗର ପୂର୍ବାନୁସାରେ, ହଜିଯାଇଥିବା ଶୀତ ଏବେ ଫେରିବ । ଖସିବ ପାରଦ ଓ ବଢ଼ିବ ଥଣ୍ଡା। ପ୍ରାୟ ୩-୪ ଦିନ ଧରି ଥରାଇବ ସାରା ଓଡ଼ିଶାକୁ। ପାରଦ ୪ରୁ ୬ ଡିଗ୍ରୀ ସେଲସିୟସ୍‌ କମିପାରେ । ଉପକୂଳଠାରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ଥଣ୍ଡା ପ୍ରକୋପ ଅଧିକ ରହିବ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ. ଚଳିତବର୍ଷ ଉତ୍ତର ଭାରତରେ ଭୀଷଣ ଥଣ୍ଡା ଜାରି ରହିଛି । ଦିନେ ଦୁଇଦିନ ଭିତରେ ଉତ୍ତର ଭାରତରୁ ପ୍ରବାହିତ ଥଣ୍ଡା ପବନ ବହିବ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଭୀଷଣ ଥଣ୍ଡା ଅନୁଭୂତ ହେବ ।ଏଥତ୍ ବ୍ୟତୀତ ଶୁକ୍ରବାର ରାତିରୁ ଥଣ୍ଡା ବଢ଼ୁଥିବାବେଳେ ୨୨ ତାରିଖବେଳକୁ ଦାରିଙ୍ଗିବାଡ଼ି, ଫୁଲବାଣୀ ସମେତ କେତେକ ଅଞ୍ଚଳରେ ପାରଦ ୮/୯ ଡିଗ୍ରୀ ପାଖାପାଖି ଥିବ । ଭୁବନେଶ୍ୱରରେ ପାରଦ ୧୨-୧୩ ଡିଗ୍ରୀ ରହିପାରେ ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଦୀର୍ଘ ଦିନର ବ୍ୟବଧାନ ପରେ ଡିସେମ୍ବର ୧୮ରୁ ୨୦ ତାରିଖ ଭିତରେ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ତୁଳନାରେ ପ୍ରାୟ ୪ ଡିଗ୍ରୀ କମିପାରେ।

ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୧୭ରୁ ୧୮ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ଅଛି। ୨୩ ତାରିଖ ଯାଏଁ ଶୀତ ପ୍ରକୋପ ଅଧିକ ରହିବ । ଏବର୍ଷ ଲା-ନିନା ଯୋଗୁ ରାଜ୍ୟରେ ଥଣ୍ଡା ପ୍ରକୋପ ଅଧିକ ରହିବା ଅନୁମାନ କରାଯାଉଥିଲା। ମାତ୍ର ଏଯାବତ୍‌ ସେଭଳି ଶୀତ ଅନୁଭୂତ ହୋଇନାହିଁ। ଏହାର ମୂଳ କାରଣ ହେଲା, ମହାରାଷ୍ଟ୍ରରୁ ଓଡ଼ିଶା ପର୍ଯ୍ୟନ୍ତ ବାରମ୍ବାର ଗୁରୁଚାପ ବଳୟ ରହିଥିଲା । ଏହା ଉତ୍ତର ଭାରତରୁ ପ୍ରବାହିତ ଥଣ୍ଡା ପବନକୁ ଓଡ଼ିଶା ଆସିବାରେ ବାଧା ସୃଷ୍ଟି କରୁଥିଲା। ଏବେ ଏହି ଗୁରୁଚାପ ଦୂରେଇ ଯାଇଥିବାରୁ ଓଡ଼ିଶାରେ ଥଣ୍ଡା ବଢ଼ିବ। ଜଳବାୟୁ ପରିବର୍ତ୍ତନ ଯୋଗୁ ବାରମ୍ବାର ଗୁରୁଚାପ ବଳୟ ସୃଷ୍ଟି ହେଉଛି । ଯାହାକି ଶୀତ ଆଗମନକୁ ବାଧାପ୍ରାପ୍ତ କରୁଛି ।ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଚଳିତବର୍ଷ ଯାହା ଆକଳନ କରାଯାଉଥିଲା, ସେମିତି ଶୀତ ଏଯାଏଁ ଅନୁଭୂତ ହୋଇନି। ଦକ୍ଷିଣ ବଙ୍ଗୋପସାଗରରେ ବିଶେଷ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇନି। ଅନ୍ୟପକ୍ଷେ ଆରବ ସାଗର ପଟୁ ପ୍ରବାହିତ ପବନ ଗୁଜରାଟ ଦେଇ କେନ୍ଦ୍ରୀୟ ଭାରତକୁ ବହିବା ଯୋଗୁ ଉତ୍ତର ଭାରତରୁ ପ୍ରବାହିତ ପବନ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁ ଶୀତ ପ୍ରକୋପ କମ୍‌ ରହିଛି। ସେହିପରି ସାରା ଓଡ଼ିଶାରେ ପାରଦ ସ୍ୱାଭାବିକଠାରୁ ଉପରେ ଥିବା ଦେଖିବାକୁ ମିଳିଛି ।ପୂର୍ବର ସ୍ଥିତି ଅନୁଧ୍ୟାନରୁ ଜଣାପଡ଼ିଛି, ୨୦୧୯ ଓ ୨୦୧୮ ତୁଳନାରେ ଏବର୍ଷ ଶୀତ ପ୍ରକୋପ କମ୍‌ ଅଛି। ୨୦୧୯ ଓ ୨୦୧୮ ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ଖସି ୮ରୁ ୯ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଥିଲା। ୨୦୧୮ରେ କୋରାପୁଟରେ ପାରଦ ୪.୮ ଡିଗ୍ରୀ ଓ ୨୦୧୭ରେ ୭.୯ ଡିଗ୍ରୀକୁ କମିଯାଇଥିଲା ।

Show More

Related Articles

Back to top button