
ତୈଳ କମ୍ପାନୀମାନେ ଗୁରୁବାର ପୁଣି ଦର ସଂଶୋଧନ କରିଛନ୍ତି। ପେଟ୍ରୋଲ ଲିଟର ପିଛା ୨୬ ଓ ଡିଜେଲରେ ୨୭ ପଇସା ବୃଦ୍ଧି କରିଛନ୍ତି। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତୈଳ ଦର ସୁଧାର ବନ୍ଦ ଥିଲା। ତେବେ ମେ ୪ ତାରିଖରେ ପ୍ରଥମ ଦର ସୁଧାର ପରଠାରୁ ତୈଳ କମ୍ପାନୀମାନେ ଗୁରୁବାରକୁ ମିସାଇ ଏ ପର୍ଯ୍ୟନ୍ତ ୨୯ ଥର ତୈଳ ଦର ବୃଦ୍ଧି କରିଥିବା ବେଳେ ଦେଶରେ ପେଟ୍ରୋଲର ସର୍ବାଧିକ ଦର ୧୦୩ଟଙ୍କା ୮୯ ପଇସାରେ ପହଞ୍ଚିଛି। ପେଟ୍ରୋଲର ଏହା ସର୍ବକାଳୀନ ଉଚ୍ଚ ଦର ବୋଲି କୁହାଯାଉଛି।ତୈଳ କମ୍ପାନୀଙ୍କ ପକ୍ଷରୁ ଜାରି ମୂଲ୍ୟ ଅଧିସୂଚନା ଅନୁସାରେ ସମ୍ପୂର୍ଣ୍ଣ ଦେଶରେ ପେଟ୍ରୋଲିୟମ ଉତ୍ପାଦର ଦର ଏହାର ଐତିହାସିକ ସ୍ତରରେ ପହଞ୍ଚିଛି।
ଦିଲ୍ଲୀ ପେଟ୍ରୋଲ ଲିଟର ପିଛା ଦର ୯୭ଟଙ୍କା ୭୬ ପଇସା ହୋଇଥିବା ବେଳେ ଆର୍ଥିକ ରାଜଧାନୀ ମୁମ୍ବାଇରେ ୧୦୩ଟଙ୍କା ୮୯ ପଇସାରେ ବିକ୍ରି ହେଉଛି। ଦିଲ୍ଲୀରେ ଡିଜେଲ ପ୍ରତି ଲିଟର ୮୮ଟଙ୍କା ୩୦ ପଇସାରେ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୯୫ଟଙ୍କା ୮୯ ପଇସାରେ ପହଞ୍ଚିଯାଇଛି।ଏହି ମୂଲ୍ୟ ବୃଦ୍ଧି ଯୋଗୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଜମ୍ମୁ-କାଶ୍ମୀର ଆଦି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ଦର ମଧ୍ୟ ଆଗକୁ ବଢୁଛି। ତେବେ ଚେନ୍ନାଇରେ ପେଟ୍ରୋଲ ପ୍ରତି ଲିଟର ୯୮ଟଙ୍କା ୮୮ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୨ଟଙ୍କା ୮୯ ପଇସା ଦରରେ ବିକ୍ରି ହେଉଛି।