Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ଓଡ଼ିଶା ଉପକୂଳ ପାଖ ଦେଇ ଆଗକୁ ବଢ଼ିବ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖ ଦେଇ ଆଗକୁ ବଢ଼ିବ । ୨୩ ତାରିଖରେ ବାଂଲାଦେଶ ଉପକୂଳ କିମ୍ବା ବାଂଲାଦେଶ-ପଶ୍ଚିମବଙ୍ଗ ସୀମାନ୍ତ ଉପକୂଳ ଛୁଇଁବା ସମ୍ଭାବନା ଅଛି । ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଯାଇପାରେ । ଓଡ଼ିଶା ଉପରେ ଏହାର ପ୍ରଭାବକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ଗୋଟିଏ ମଡେଲ୍‌ କହୁଛି, ଓଡ଼ିଶାରେ ବର୍ଷା କି ପବନ କିଛି ହେବନି । ଆଉ ଏକ ଆକଳନ ଅନୁଯାୟୀ ୨୩ରେ ଉପକୂଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୨୪ରେ ବାଲେଶ୍ୱରରେ ବର୍ଷା ଲାଗି ରହିପାରେ । ୨୪ ତାରିଖରେ ପୌର ଭୋଟ । ସେତେବେଳକୁ ଏଭଳି ବର୍ଷା ହେଲେ ନିର୍ବାଚନ ପାଗ ବିଗିଡ଼ିବା ଆଶଙ୍କା ରହିଛି । ଅପରପକ୍ଷରେ ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରକୋପ ଅସ୍ତବ୍ୟସ୍ତ କଲାଣି । ରାଜ୍ୟର ୫ଟି ସହରରେ ତାପମାତ୍ରା ମଙ୍ଗଳବାର ୩୯ ଡିଗ୍ରୀ ସେଲସିୟସ୍‌ ଟପିଛି । ୧୨ଟି ସ୍ଥାନରେ ପାରଦ ୩୮ ଡିଗ୍ରୀ ଉପରେ ଥିଲା । ପାଣିପାଗ ପୂର୍ବାନୁମାନ କହୁଛି, ୧୬ରୁ ୧୮ ତାରିଖ ଯାଏଁ ( ୩ଦିନ) କେତେକ ଜାଗାରେ ଗ୍ରୀଷ୍ମ ଲହରୀ ଛଟପଟ କରିବ । କିଛି ଜାଗାରେ ସ୍ୱାଭାବିକଠାରୁ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ଅଧିକ ରହିବ । ବୁଧବାର ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଝାରସୁଗୁଡ଼ା ଓ ମୟୂରଭଞ୍ଜରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଏଥିପାଇଁ ୧୦ଟି ଯାକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଲୋକଙ୍କୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇବା ସହ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କା ଘାରିଥିବାବେଳେ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ଆଜି କହିଛି, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ଭିତରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ବାତ୍ୟା ରୂପ ନେବ କି ନାହିଁ, ସେ ନେଇ ଆଇଏମଡି ବୈଜ୍ଞାନିକ କିଛି ସ୍ପଷ୍ଟ କରିନାହାନ୍ତି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୭ରେ ଲଘୁଚାପ ରୂପ ନେବ । ଉତ୍ତର ଦିଗରେ ଗତି କରିବା ସହ ୧୯ରେ ବାତ୍ୟାରେ ପରିଣତ ହେବ । ୨୦ରେ ଆଣ୍ଡାମାନରେ ପହଞ୍ଚିବା ସହ ଦିଗ ବଦଳାଇବ । ୨୧ରେ ଆଣ୍ଡାମାନ ଅତିକ୍ରମ କରିବ । ଇସିଏମଡବ୍ଲୁଏଫ ମଡେଲ ଆକଳନ ଅନୁସାରେ ଏହା ବାଂଲାଦେଶ ଉପକୂଳକୁ ମୁହାଁଇବ । ମାତ୍ର ଜିଏଫଏସ ଏନସିଇପିର ଆକଳନ ଅନୁସାରେ ଏହା ଓଡ଼ିଶାର ଉପକୂଳ ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ୨୩ ତାରିଖ ରାତିରେ ଉପକୂଳ ଛୁଇଁପାରେ । ଏହି ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ୨୩ ତାରିଖ ଓଡ଼ିଶା ଉପକୂଳ ନିକଟ ଦେଇ ଗତି କରିବ । କିନ୍ତୁ ଉପକୂଳରେ ପହଞ୍ଚିଲାବେଳକୁ ତାହା ଦୁର୍ବଳ ହେବା ଅନୁମାନ କରାଯାଉଛି । ତଥାପି ଓଡ଼ିଶାରେ କିଛି ପବନ ସହ ବର୍ଷା ହୋଇପାରେ । ୨୩ରେ ସମୁଦ୍ର ସଂଲଗ୍ନ ଉପକୂଳ ଓଡ଼ିଶାରେ ଭାରି ବର୍ଷା ହୋଇପାରେ । ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୪ ତାରିଖରେ ମଧ୍ୟାହ୍ନ ସୁଦ୍ଧା ଉତ୍ତର ଉପକୂଳର ବାଲେଶ୍ୱରରେ ବର୍ଷା ଲାଗି ରହିପାରେ । ଏସବୁ ପ୍ରାକ ଆକଳନ । ଆଗକୁ ସ୍ଥିତି ଅଧିକ ସ୍ପଷ୍ଟ ହେବା ପରେ ଅଧିକ ତଥ୍ୟ ମିଳିପାରିବ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ସମ୍ଭାବ୍ୟ ବାତ୍ୟା ୨୩ରେ ବାଂଲାଦେଶ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦ କିମି ଦୂରରେ ସମୁଦ୍ର ଭିତରେ ଏହା ଗତି କରିବା ସମ୍ଭାବନା ଅଛି । ଉପକୂଳ ଛୁଇଁବା ପୂର୍ବରୁ ସମୁଦ୍ର ଭିତରେ ଏହା ବହୁ ଅଂଶରେ ଦୁର୍ବଳ ହୋଇପାରେ । ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିନପାରେ । ତଥାପି ୨୨ରେ ଉପକୂଳ ଓଡ଼ିଶାରେ ତାପମାତ୍ରା କମିପାରେ । ପବନ ଅତି ବେଶିରେ ୩୦ରୁ ୪୦ କିମି ବେଗରେ ବହିପାରେ । ତେବେ ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଭଳି ଗରମ ଜାରି ରହିବ । ମଙ୍ଗଳବାର ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ଥିଲା ଅନୁଗୁଳ । ତାପମାତ୍ରା ୩୯.୭ ଡିଗ୍ରୀ ଥିଲା । ବାରିପଦା ୩୯.୨, ସୋନପୁର ୩୯.୫, ଟିଟିଲାଗଡ଼ ୩୯, ବୌଦ୍ଧ ୩୯, କଟକ ୩୮, ଭୁବନେଶ୍ୱର ୩୮.୧, ସମ୍ବଲପୁର ୩୮.୬, ତାଳଚେର ୩୮, ନୟାଗଡ଼ ୩୮, ଭଦ୍ରକ ୩୮.୨, ଯାଜପୁର ୩୮ ଡିଗ୍ରୀ ସେଲସିୟସ୍‌ ଥିଲା । ଅନୁମାନ କରାଯାଉଛି, ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ତତଲା ପବନ ପ୍ରବାହିତ ହେବ । ବୁଧବାର ଭୁବନେଶ୍ୱରରେ ପାରଦ ୪୦ ଛୁଇଁପାରେ ।

Show More

Related Articles

Back to top button