ଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଦୁଇ ଦିନ ପରେ ବର୍ଷା, କମିବ ଶୀତ

ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩ ତାରିଖରେ ୭ ଜିଲ୍ଲାରେ ଓ ୪ରେ ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

୪ରେ ୭ଟି ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୨ ତାରିଖରେ କିଛି ଜିଲ୍ଲାରେ ଘନ କୁହୁଡ଼ି ହେବା ଆଶଙ୍କା ଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କତା ଜାରି କରିଛନ୍ତି ।ପଶ୍ଚିମା ଝଡ଼ ପ୍ରଭାବରେ ବଙ୍ଗୋପସାଗରରୁ ରାଜ୍ୟକୁ ଅଧିକ ମାତ୍ରାରେ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରିବ । ଏହାର ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୩ରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ୬ଜିଲ୍ଲା ପାଇଁ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।୪ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ସୁନ୍ଦରଗଡ଼, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରାଯାଇଛି ।ବର୍ଷା ଆଶଙ୍କା ଥିବାରୁ ପନିପରିବା ଚାଷ ଓ ଉଦ୍ୟାନ କୃଷି ଫସଲରେ ବିଶେଷ କ୍ଷୟକ୍ଷତିର ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

ଅମଳ ଉପଯୋଗୀ ହରଡ଼, ବନ୍ଧା କୋବି, ଫୁଲ କୋବି ଓ ଅନ୍ୟ ପରିବାକୁ ଫେବ୍ରୁଆରି ୩ ପୂର୍ବରୁ ଅମଳ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ମୁଗ, ବିରି ଭଳି ଶୀତଦିନିଆ ଡାଲିଜାତୀୟ ବିହନ ବୁଣାବୁଣି ଆସନ୍ତା ଏକ ସପ୍ତାହ ଯାଏ ସ୍ଥଗିତ ରଖିବାକୁ ବିଭାଗ ପରାମର୍ଶ ଦେଇଛି । ସେହିଭଳି କୁଆପଥର ମାଡ଼ରୁ ରକ୍ଷା ପାଇଁ ଟମାଟୋ, ଲଙ୍କା, ପିଆଜ କୋବି ଭଳି ପନିପରିବା ତଳିକୁ ଜାଲି ବା ପ୍ଲାଷ୍ଟିକ୍‌ ଦ୍ୱାରା ଘୋଡାଇ ରଖିବାକୁ କୁହାଯାଇଛି । ବର୍ଷା ଯୋଗୁ ଜମୁଥିବା ପାଣିର ନିଷ୍କାସନ ପାଇଁ ପନିପରିବା ତଳି ଓ ମୁଖ୍ୟ ଜମିରେ ଆବଶ୍ୟକ ନାଳି ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ରାଜ୍ୟରେ ଶୀତ ପ୍ରକୋପ କମିବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨ ତାରିଖରୁ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢ଼ିବ । ଫେବ୍ରୁଆରି ମାସରେ ଦିନରେ ଅଧିକ ଗରମ ଅନୁଭୂତ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Show More

Related Articles

Back to top button